ମଣିପୁରର ୫ ଜିଲ୍ଲାକୁ ପୁଣି ଫେରିଲା କର୍ଫ୍ୟୁ, ୫୦ ଆହତ

add-all

ମଣିପୁର : ପୁଣି ଥରେ ଅଶାନ୍ତ ହୋଇ ଉଠିଛି ମଣିପୁର। ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା କର୍ମୀ ଓ ସ୍ଥାନୀୟ ଅଞ୍ଚଳବାସୀ। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୁରକ୍ଷା କର୍ମୀ ଗୁଳି ମାଡ଼ ସାଙ୍ଗକୁ ଲୁହବୁହା ଗ୍ୟାସର ପ୍ରୟୋଗ କରିବା ଯୋଗୁ ପୁଣି ଥରେ ତେଜି ଉଠିଛି ଅସନ୍ତୋଷ। ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ବିକ୍ଷୋଭକାରୀ ଆହତ ହୋଇଛନ୍ତି । ମଣିପୁରର ଚୁରାଚାନ୍ଦପୁର-ବିଷ୍ଣୁପୁର ଜିଲ୍ଲା ସୀମାରେ ଘଟିଛି ଏହି ହିଂସାକାଣ୍ଡ । ସାମ୍ପ୍ରତିକ ସ୍ଥିତିକୁ ଦେଖି ମଣିପୁରର ୫ ଜିଲ୍ଲାରେ ପୁଣି ଥରେ କର୍ଫ୍ୟୁ ଲାଗୁ କରାଯାଇଛି।

ବିଷ୍ଣୁପୁର ଜିଲ୍ଲାର ଫୌଗକଚାଓ ଇଖାଇରେ ସେନା ବ୍ୟାରିକେଡ ହଟାଇବା ପାଇଁ ସିଓସିଓଏମ୍‌ (କୋଅର୍ଡିନେଟଇଂ କମିଟି ଅନ୍‌ ମଣିପୁର ଇଣ୍ଟିଗ୍ରିଟି) ଏବଂ ତାହାର ମହିଳା ଶାଖା ପକ୍ଷରୁ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କୁ ଅନୁରୋଧ କରାଯାଇଥିଲା। ଫଳରେ ଶତାଧିକ ଲୋକ ଶହ ଶହ ଲୋକ ବିଷ୍ଣୁପୁର ଜିଲ୍ଲାରେ ଏକତ୍ରିତ ହୋଇଥିଲେ। ସେମାନେ ଇମ୍ଫାଲରୁ ଫୌଗକଚାଓ ଅଭିମୁଖେ ଯାଉଥିବା ପୁଲିସ୍‌ ଓ ସେନାକୁ ରୋକିବାକୁ ରାସ୍ତା ଉପରେ ବସି ପଡ଼ିଲେ।ବୁଧବାର ଶହ ଶହ ଆନ୍ଦୋଳନକାରୀ କର୍ଫ୍ୟୁ ଉଲ୍ଲଘଂନ କରି ସେନାର ବାରିକେଡ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ବାରିକେଡ ଯୋଗୁ ଚାଷ ଜମିକୁ ଯିବା ସମ୍ଭବ ହୋଇ ପାରୁନି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେମାନଙ୍କୁ କାବୁ କରିବାକୁ ଯାଇ ଆସାମ ରାଇଫଲ୍ସ ଓ ସେନା ପକ୍ଷରୁ ଗୁଳି ଚଳାଯିବା ସହ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଛି। ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସମସ୍ତଙ୍କୁ ବିଷ୍ଣୁପୁର ଓ ଆଖପାଖ ଅଞ୍ଚଳରେ ଥିବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସରକାର ପୂର୍ବରୁ ମଣିପୁରର ୫ ଜିଲ୍ଲା ବିଷ୍ଣୁପୁର, କାକ୍‌ଚିଙ୍ଗ, ‌ଥୌବାଲ, ଇମ୍ଫାଲ ପଶ୍ଚିମ ଏବଂ ଇମ୍ଫାଲ ପୂର୍ବରେ କର୍ଫ୍ୟୁ କୋହଳ ସମୟକୁ ହଟାଇ ଦେଇଥିଲେ। ଉକ୍ତ ୫ ଜିଲ୍ଲାରେ ପ୍ରତିଦିନ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ଥିଲା। କିନ୍ତୁ ସାମ୍ପ୍ରତିକ ସ୍ଥିତିକୁ ଦେଖି ଏହି ୫ ଜିଲ୍ଲାରେ ପୁଣିଥରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଫେରିଛି।

ବହୁ ସଂଖ୍ୟାରେ ବିକ୍ଷୋଭକାରୀ ଏକତ୍ରିତ ହୋଇଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ତତ୍‌କ୍ଷଣାତ କର୍ଫ୍ୟୁ ଲାଗୁ କରା ଯାଇଛି ।

ସ୍ଥିତି ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଜନସାଧାରଣ ସହଯୋଗ କରିବାକୁ ମଣିପୁରର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହି ସମୟରେ ଜରୁରୀକାଳୀନ ସେବା କୌଣସି ପ୍ରକାର ବାଧାପ୍ରାପ୍ତ ହେବନି ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ad-week
Leave A Reply

Your email address will not be published.