
ଇସଲାମାବାଦ୍ : ପାକିସ୍ତାନର ଖାଇବର ପାଖତୁନଖାୱା ପ୍ରଦେଶର ଏକାଧିକ ଗ୍ରାମକୁ ତେହରିକ୍-ଇ-ତାଲିବାନ୍ (ଟିଟିପି) ସଂଗଠନ ଦଖଲ କରିଛି। ଖାଇବର ପାଖତୁନଖାୱା ପ୍ରଦେଶରେ ଟିଟିପି ତରଫରୁ ବୁଧବାରରୁ ସାମାରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଟିଟିପି ସଦସ୍ୟ ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ପାକିସ୍ତାନ ସେନାର ବହୁ ଯବାନ ପ୍ରାଣ ହରାଇଛନ୍ତି। ଟିଟିପି ତରଫରୁ ଏକାଧିକ ଗ୍ରାମକୁ ଅକ୍ତିଆର କରାଯାଇଥିବା ଏହାର କମାଣ୍ଡର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଟିଟିପି ଓ ପାକିସ୍ତାନ ସେନା ମଧ୍ୟରେ ସଂଘର୍ଷ ଯୋଗୁଁ ତୋରଖାମ୍ ସୀମାକୁ ବନ୍ଦ କରି ଦିଆଯାଇଥିବା ଜଣାପଡ଼ିଛି। ଟିଟିପି ମୁଖପାତ୍ରଙ୍କ ତରଫରୁ ସାମାଜିକ ଗଣମାଧ୍ୟମରେ ଜାରି ଭିଡିଓ ଅନୁଯାୟୀ ସେମାନଙ୍କ ସଂଗଠନ ଗ୍ରାମବାସୀଙ୍କର କୌଣସ କ୍ଷତି କରିବାକୁ ଚାହାନ୍ତି ନାହିଁ। ପାକିସ୍ତାନ ସେନାକୁ ବିତାଡ଼ିତ କରିବା ସେମାନଙ୍କ ଲକ୍ଷ୍ୟ।