୯ କୋଟି ଟଙ୍କାରେ ବିକ୍ରି ହେଲା ଯୁବରାଣୀ ଡାଏନାଙ୍କ ‘ବ୍ଲାକ୍‌ ସିପ୍‌’ ସ୍ବେଟର୍‌

Independence

swe

ନୂଆଦିଲ୍ଲୀ: ଯୁବରାଣୀ ଡାଏନାଙ୍କ ପ୍ରସିଦ୍ଧ ଲାଲ୍‌ ରଙ୍ଗର ‘ବ୍ଲାକ୍‌ ସିପ୍‌’ (କଳାମେଣ୍ଢା) ସ୍ବେଟର୍‌ ୯ କୋଟି ଟଙ୍କାରୁ ଅଧିକ ଦାମ୍‌ରେ ବିକ୍ରୟ ହୋଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ଡାଏନା ପରିଧାନ କରିଥିବା ଯେତେ ସବୁ ପୋଷାକ ନିଲାମ ହୋଇଛି ତା’ ଭିତରୁ ଏହି ସ୍ବେଟର୍‌ ସର୍ବାଧିକ ମୂଲ୍ୟରେ ବିକ୍ରି ହେଇଥିବା କଥା ଏହି ରିପୋର୍ଟରେ ଉଲ୍ଲେଖ ଅଛି।

‘ସିଏନ୍‌ଏନ୍‌’ ରିପୋର୍ଟ ଅନୁସାରେ, ଇଂଲଣ୍ଡ୍‌ର ଯୁବରାଜ ଚାର୍ଲସ୍‌ଙ୍କ ସହିତ ତାଙ୍କର ନିର୍ବନ୍ଧ ଘୋଷଣା ହେବାର ଅଳ୍ପ ଦିନ ପରେ ୧୯୮୧ ଗୋଟାଏ ‘ପୋଲୋ’ ମ୍ୟାଚ୍‌ ଦେଖିବାକୁ ଯାଇଥିବା ଡାଏନା ପ୍ରଥମେ ଏହି ସ୍ବେଟର୍‌ ପିନ୍ଧିଥିଲେ। ଲାଲ୍‌ ରଙ୍ଗର ଏହି ସ୍ବେଟର୍‌ରେ ଅଛି ଧାଡ଼ି ଧାଡ଼ି ଧଳା ମେଣ୍ଢାଙ୍କ ଭିତରେ ଗୋଟିଏ ମାତ୍ର କଳାମେଣ୍ଢା।

ଗୁରୁବାର ଦିନ ନିଲାମକାରୀ ‘ସଥ୍‌ବାଏ’ର ଉଦ୍‌ଘାଟନୀ ‘ଫେସନ୍‌ ଆଇକନ୍‌ ଅକ୍‌ସନ୍‌’ରେ ଏହି ସ୍ବେଟର୍‌ଟି ୧.୧ ନିୟୁତ ଡଲାର୍‌ରେ ବିକ୍ରିୟ ହୋଇଛି। ଅଳ୍ପ ଦିନ ପୂର୍ବେ ଏହି ସ୍ବେଟର୍‌କୁ ତା’ର ମୂଳ ନିର୍ମାତା ଜୋଆନା ଅସ୍‌ବ‌ୋର୍ଣ୍ଣ ଓ ସେଲି ମୁଇର୍‌ କେଉଁଠୁ ପାଇଥିଲେ। ଏହାକୁ ୫୦,୦୦୦ରୁ ୮୦,୦୦୦ ଡଲାର୍‌ ଭିତରେ ନିଲାମ ଡକାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ, ୪୪ଜଣ ନିଲାମ ଧରିବାକୁ ପ୍ରତିଦ୍ବନ୍ଦ୍ବିତା କରିବାରୁ ଏହାର ମୂଲ୍ୟ ଧାର୍ଯ୍ୟ ଦରର ୧୪ଗୁଣା ହୋଇଗଲା। କିନ୍ତୁ, ଏତେ ମୂଲ୍ୟ ଦେଇ ଯିଏ ସ୍ବେଟର୍‌ଟିକୁ ନିଲାମ ଧରିଛନ୍ତି, ତାଙ୍କ ନାଁ ଗୁପ୍ତ ରଖାଯାଇଛି।

ସୂଚନାଯୋଗ୍ୟ, ଯୁବରାଜ ୱିଲିୟମ୍‌ ଓ ରାଜକୁମାର ହ୍ୟାରିଙ୍କ ମାଆ ଡାଏନା ୧୯୯୬ରେ ରାଜା ଚାର୍ଲସ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ। ୧୯୯୭ରେ ୩୬ ବର୍ଷ ବୟସରେ ପ୍ୟାରିସ୍‌ରେ କାର୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା।

ad-week
Leave A Reply

Your email address will not be published.