
ଭୁବନେଶ୍ୱର: ଆସନ୍ତକାଲି ବାଚସ୍ପତି ନିର୍ବାଚନ ପଇଁ ନାମାଙ୍କନ ତାରିଖ ରହିଛି। ଏହା ପୂର୍ବରୁ ଶାସକ ଦଳ ବିଜେଡି ମହିଳା କାର୍ଡ ଖେଳି ଦଳର ବରିଷ୍ଠ ମହିଳା ନେତ୍ରୀ ତଥା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଘୋଷଣା କରିଛି। ସାରା ଦେଶରେ ମହିଳା ସଂରକ୍ଷଣ ବିଲ୍ ନେଇ ବିତର୍କ ଚାଲିଛି ବିଲଟି ସଂସଦରେ ଉପସ୍ଥାପିତ ହୋଇଛି ଆଉ ଏହି ସମୟରେ ବିଜେଡି ଖେଳିଛି ମହିଳା କାର୍ଡ।
ଗୁରୁବାର ଦିନ ବାଚସ୍ପତି ପଦ ନିର୍ବାଚନ ପାଇଁ ପ୍ରମିଳା ମଲ୍ଲିକ ନାମାଙ୍କନ ପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ଶେଷ ଅଦଳବଦଳରେ ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖାଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବା ପରେ ଏହି ପଦବୀ ଖାଲି ପଡ଼ିଛି।
ଆସନ୍ତା ୨୨ ତାରିଖ ସକାଳ ୯.୩୦ରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ପଦବୀ ପାଇଁ ସେପ୍ଟେମ୍ବର ୨୧ ତାରିଖରେ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।
ପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ୧୮ ତାରିଖରେ ନାମାଙ୍କନ ପତ୍ର ଦାଖଲ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ବିରୋଧୀ ବିଜେପି ଏବଂ କଂଗ୍ରେସ ପଶ୍ଚିମ ଓଡ଼ିଶାର ଗଣ କୃଷି ଉତ୍ସବ ନୂଆଁଖାଇ ଅବସରରେ ନିର୍ବାଚନ ବର୍ଜନ କରିବାକୁ ଘୋଷଣା କରିବା ପରେ ଏହାକୁ ସେପ୍ଟେମ୍ବର ୨୨କୁ ଘୁଞ୍ଚାଇ ସେପ୍ଟେମ୍ବର ୨୧କୁ ନାମାଙ୍କନ ପତ୍ର ଦାଖଲ କରାଯାଇଥିଲା।
ଶାସକ ଦଳର ବିଧାୟକଙ୍କ ସଂଖ୍ୟା ଅଧିକ ଥିବାରୁ ପ୍ରମିଳା ମଲ୍ଲିକ ବାଚସ୍ପତି ହେବା ଏକ ପ୍ରକାର ଚୂଡ଼ାନ୍ତ। କାରଣ ବିରୋଧୀ ପ୍ରାର୍ଥୀ ଦେବେନି ବୋଲି ସୂଚନା ରହିଛି। ତେଣୁ ବିନା ନିର୍ବାଚନରେ ପ୍ରମିଳା ମଲ୍ଲିକ ବିଧାନସଭାର ୨୬ତମ ବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ। ଏଥସହ ବିଞ୍ଝାରପୁରର ବିଧାୟିକା ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି।
୧୯୯୦ ମସିହାରୁ ପ୍ରମିଳା ମଲ୍ଲିକ ବିଧାୟକ ଭାବେ ସମାନ ଆସନରୁ ଏଯାବତ ନିର୍ବାଚିତ ହୋଇଆସୁଛନ୍ତି। ୨୦୦୪ରେ ସେ ପ୍ରଥମେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନବୀନ ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସମେତ, ଦଳର ମୁଖ୍ୟ ସଚେତକ ପରେ ଏବେ ରାଜସ୍ବ ତଥା ବିପର୍ଯ୍ୟୟ ମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଛନ୍ତି। ଏବେ ସେ ବାଚସ୍ପତି ପ୍ରାର୍ଥୀ ହୋଇଥିବାରୁ ସେ ନିୟମ ଅନୁଯାୟୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ।
ଉଲ୍ଲେଖଯୋଗ୍ୟ, ବିଧାନସଭାର ମୌସୁମୀ ଅଧିବେଶନ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଶାସକ ଦଳ ବିଜେଡି ୩୩ ପ୍ରତିଶତ ମହିଳା ସଂରକ୍ଷଣ ପାଇଁ ବିଭିନ୍ନ ସମୟରେ ଦାବି କରି ଆସୁଛି। ଏହି ସମୟରେ ନବୀନ ପ୍ରମିଳାଙ୍କୁ ପ୍ରାର୍ଥୀ କରି ମହିଳା ଭୋଟରଙ୍କ ଉପରେ ଗୋଟିଏ ବଡ଼ ପ୍ରଭାବ ପକାଇବାକୁ ଯାଇ ଏଭଳି ଏକ ମାଷ୍ଟରଷ୍ଟ୍ରୋକ ଖେଳିଛନ୍ତି।