ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ସେପ୍ଟେମ୍ବର ୨୭ରେ ଘରୋଇ ବସ୍ ସଂଘ ଦେଲା ବନ୍ଦ ଡାକରା

add-all

barm

ଭୁବନେଶ୍ୱର: ଓଡ଼ିଶାର ଘରୋଇ ବସ୍ ମାଲିକମାନେ ସରକାରଙ୍କ ଲକ୍ଷ୍ମୀ ଯୋଜନା ଯୋଗୁଁ ଉପୁଜିବାକୁ ଥିବା ସମସ୍ୟାର ସମାଧାନ ନ ହେଲେ ଚକା ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)କୁ ଚିଠି ଲେଖି ସୂଚନା ଦେଇଛନ୍ତି, ଘରୋଇ ବସ୍ ମାଲିକ ସଙ୍ଘର ସମ୍ପାଦକ ଦେବେନ୍ଦ୍ର ସାହୁ।

ସେ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ମୀ ଯୋଜନାରେ ଘରୋଇ ବସର ହଜାର ହଜାର କର୍ମଚାରୀ ପ୍ରଭାବିତ ହେବେ। ଯଦିଓ ଆମେ ଏହି ଯୋଜନାକୁ ବିରୋଧ କରୁନାହୁଁ କାରଣ ଏହା ଦ୍ୱାରା ଲୋକମାନେ ଉପକୃତ ହେବେ। ଆମେ ଚିନ୍ତିତ ଯେ ସରକାର ବସ୍ କର୍ମଚାରୀଙ୍କ ପରିବାର ପ୍ରତି ଧ୍ୟାନ ଦେଇନଥିଲେ ଯାହାଙ୍କ ଜୀବିକା ପ୍ରଭାବିତ ହେବ। ମନୋନୀତ ସହରାଞ୍ଚଳରେ ସିଆରୟୁଟି ପକ୍ଷରୁ ଆରମ୍ଭ କରାଯାଇଥିବା ‘ମୋ ବସ୍’ ସେବାକୁ ନେଇ ଆମେ ବେଶ୍ ଚାପରେ ଅଛୁ। ଲକ୍ଷ୍ମୀ ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ବସ୍ ସେବା ସମ୍ପ୍ରସାରିତ ହେଲେ ୮ ହଜାରରୁ ଅଧିକ ଘରୋଇ ବସ୍ ମାଲିକଙ୍କ ଆୟ ଆହୁରି ପ୍ରଭାବିତ ହେବ।

ସେ ଆହୁରି ଅଭିଯୋଗ କରିଛନ୍ତି ଯେ ଏହି ଯୋଜନା ଘୋଷଣା କରିବା ପୂର୍ବରୁ ଘରୋଇ ବସ୍ ମାଲିକମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେବେ ତାହାକୁ ସରକାର ବିଚାରକୁ ନେଉନାହାନ୍ତି। ସଂଘ ଏହି ନିଷ୍ପତ୍ତିକୁ ବିରୋଧ କରିବା ପରେ ସରକାର ଏ ନେଇ ବସ୍ ମାଲିକଙ୍କ ସହ ଅନେକ ଥର ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ ବୋଲି ସେ କହିଛନ୍ତି।

ଯଦି ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ସରକାର ଆଲୋଚନା ମାଧ୍ୟମରେ ବସ୍ ଚଳାଚଳର ରୁଟ୍ ଓ ସମୟର ସମସ୍ୟାର ସମାଧାନ କରିବାରେ ବିଫଳ ହୁଅନ୍ତି ତେବେ ଘରୋଇ ବସ୍ ମାଲିକମାନେ ବାଧ୍ୟ ହୋଇ ଗାଡ଼ି ଚଳାଚଳ ବନ୍ଦ କରିବେ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଏବଂ ଜିଲ୍ଲାରୁ ରାଜ୍ୟ ରାଜଧାନୀ ଯାଏ ବସ୍ ଚଳାଇବାକୁ ସରକାର ଯୋଜନା କରିଛନ୍ତି। ସେହିପରି ଗତ ବୈଠକରେ ଏହି ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି।

ad-week
Leave A Reply

Your email address will not be published.