ଆଗାମୀ ପିଢ଼ି ପାଇଁ ସିଗାରେଟ୍‌ ନିଷିଦ୍ଧ କରିବେ ଋଷି ସୁନକ…

add-all

cig

ଲଣ୍ଡନ: ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି କିଛି କଟକଣା ଜାରି କରିବାକୁ ବିଚାର କରୁଛନ୍ତି ଯଦ୍ଦ୍ବାରା ଇଂଲଣ୍ଡ୍‌ର ଆଗାମୀ ପିଢ଼ି ଆଉ ସିଗାରେଟ୍‌ କିଣିବା ପାଇଁ ସମର୍ଥ ହେବେନାହିଁ ବୋଲି ସରକାରୀ ସୂତ୍ରରୁ ସୂଚନା ସଂଗ୍ରହ କରି ଶୁକ୍ରବାର ଦିନ ‘ଦି ଗାର୍ଡିଆନ୍‌’ ରିପୋର୍ଟ କରିଛି।

ରିପୋର୍ଟରେ ଉଲ୍ଲେଖ ଅଛି, ଗତବର୍ଷ ନିଉଜିଲାଣ୍ଡ୍‌ ଘୋଷଣା କରିଥିବା ଆଇନ ପରି ଧୂମପାନ-ନିରୋଧୀ କଟକଣା କଥା ସୁନକ ଚିନ୍ତା କରୁଛନ୍ତି। ଅନ୍ୟାନ୍ୟ କଟକଣା ସହିତ ୨୦୦୯ ଜାନୁଆରି ୧ ତାରିଖରେ କିଂବା ତା’ପରେ ଜନ୍ମିତ କୌଣସି ବ୍ୟକ୍ତି ତମାଖୁ କିଣାବିକା କରି ପାରିବେ ନାହିଁ ବୋଲି ନିଉଜିଲାଣ୍ଡ୍‌ ଆଇନରେ ଘୋଷଣା କରାଯାଇଛି।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ ଇ-ମେଲ୍‌ ଜରିଆରେ ଦେଇଥିବା ଉତ୍ତରରେ ବ୍ରିଟିସ୍‌ ସରକାରଙ୍କର ଜଣେ ମୁଖପାତ୍ର କହିଛନ୍ତି, ଅଧିକ ଲୋକଙ୍କୁ ଧୂମପାନ ପରିତ୍ୟାଗ କରିବାକୁ ଉତ୍ସାହିତ କରି ୨୦୩୦ ସୁଦ୍ଧା ଧୂମପାନ ନିଷେଧ ପାଇଁ ରଖାଯାଇଥିବା ଲକ୍ଷ୍ୟ ହାସଲ କରିବା ହେଉଛି ଆମର ଉଦ୍ଦେଶ୍ୟ। ଧୂମପାନ ହାର ହ୍ରାସ କରିବା ଲାଗି ଆମେ କେତେକ ପଦକ୍ଷେପ ଗ୍ରହଣ କରିସାରିଲୁଣି।

ସ‌େ ପଦକ୍ଷେପ ମଧ୍ୟରେ ରହିଛି, ‘ଭେପ୍‌ କିଟ୍‌’ (ଇ-ସିଗାରେଟ୍‌), ଅନ୍ତଃସତ୍ତ୍ବା ମହିଳାମାନଙ୍କୁ ଧୂମପାନ ଛାଡ଼ିବା ଲାଗି ପ୍ରୋତ୍ସାହନ ଦେବା ପାଇଁ ‘ଭାଉଚର୍‌ ସ୍କିମ୍’ ଏବଂ ସିଗାରେଟ୍‌ ପ୍ୟାକେଟ୍‌ରେ ଧୂମପାନ ଛାଡ଼ିବା ପାଇଁ ପରାମର୍ଶ ଛାପାଯିବା ଇତ୍ୟାଦି ବୋଲି ସେ କହିଛନ୍ତି।

ଏହାଛଡ଼ା, ସିଗାରେଟ୍‌ ଉପରେ ଜାରି ହେବାକୁ ଥିବା ନିଷେଧାଜ୍ଞା ବିଷୟରେ ଅଧିକ କିଛି କହିବାକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାବର୍ଷ ବ୍ରିଟେନ୍‌ରେ ହେବାକୁ ଥିବା ନିର୍ବାଚନ ପ୍ରତି ଧ୍ୟାନ ଦେଇ ସୁନକଙ୍କ ଟିମ୍‌ ଏହି ପଦକ୍ଷେପ ସଂକ୍ରାନ୍ତରେ ବିଚାର କରୁଛି।

ad-week
Leave A Reply

Your email address will not be published.