ବାଇକ୍ ରେ ୩୦କିମି ବୁହାହେଲା ମୃତଦେହ…

add-all

saba

ରେଢାଖୋଲ: ମୃତ୍ୟୁ ପରେ ଶବକୁ ଘରେ ପହଞ୍ଚାଇବା ପାଇଁ ମହାପ୍ରୟାଣ ଗାଡି ବ୍ୟବସ୍ଥା କରିଛନ୍ତି ସରକାର କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜିର ଏହି ଘଟଣା ସରକାରଙ୍କ ମହାପ୍ରୟାଣ ଯୋଜନା ଉପରେ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଗାଡ଼ି ମିଳିଲାନି ବୋଲି ୩୦ କିମି ବାଇକ୍ ରେ ବୁହାହୋଇ ଆସିଲା ମୃତଦେହ। ରେଢାଖୋଲ ଯୁଯୁମୁରା କେଶାପାଲି ଗାଁରେ ଏହି ଅଭାବନୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି। ଯୁଯୁମୁରା କେଶାପାଲି ଗାଁର ଗୁଲାପି ବେହେରାଙ୍କ ଦେହ ଦୀର୍ଘଦିନ ହେଲା ଅସୁସ୍ଥ ଥିଲା। ଚିକିତ୍ସା ପରେ ଗୁଲାପି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ ଅମରପାଲି ଗାଁରେ ନିଜ ଭଉଣୀ ଘରେ ରହି ଚିକିତ୍ସା କରାଉଥିଲେ । ତଥାପି ତାଙ୍କ ଶରୀର ସୁସ୍ଥ ହୋଇ ନଥିଲା।

୧୦ ଦିନର ଚିକିତ୍ସା ପରେ ଗୁଲାପିଙ୍କ ଗତକାଲି ପରଲୋକ ହୋଇଥିଲା । ଏହାପରେ କେଶାପାଲିରୁ ପରିବାର ଲୋକେ ମୃତଦେହ ଆଣିବାକୁ ପହଞ୍ଚିଥିଲେ। ହେଲେ ମୃତଦେହ କେଶାପାଲିକୁ ଆଣିବାକୁ କୌଣସି ଗାଡ଼ି ଯୋଗଡ଼ ହୋଇପାରିନଥିଲା । ଏଣେ ମୃତଦେହ ଗାଁରେ ପଡ଼ିଥିବାରୁ ସବୁ ପୂଜାବିଧ ବନ୍ଦ ପଡ଼ିଥିଲା। ଏଣୁ ମୃତଦେହ ଉଠାଇବାକୁ ଗାଁଲୋକେ ପରିବାର ଉପରେ ଚାପ ପକାଉଥିଲେ । ହେଲେ ପଞ୍ଚାୟତ କର୍ତ୍ତୃପକ୍ଷ କି ୱାର୍ଡ ସଭ୍ୟ କେହି ଏ ପରିବାର ପାଇଁ ଗାଡ଼ି ଖଣ୍ଡେ ଯୋଗାଡ଼ କରି ନଥିଲେ କି ସହାୟତାର ହାତ ବଢ଼ାଇ ନଥିଲେ।

ଶେଷରେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ଶେଷରେ ବାଇକ୍ ଯୋଗେ ୩୦ କିମି ମୃତଦେହ ବୋହି ଅମରପାଲିରୁ କେଶାପାଲିକୁ ଆଣିଥିଲେ। ତେବେ ୧୫ କିମି ବାଟ ପହଞ୍ଚିବା ପରେ କିଛି ଗଣମାଧ୍ୟମ ପ୍ରତିନିଧି ଏମାନଙ୍କୁ ଭେଟି ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ କହିଥିଲେ । ହେଲେ ଏତେ ବାଟ ଆସିବା ପରେ ଗାଡ଼ିକୁ ଅପେକ୍ଷା କଲେ ପୁଣି ବିଳମ୍ବ ହେବ କହି ସେମାନେ ମୃତଦେହ ଧରି ଚାଲି ଆସିଥିଲେ । ପରେ ନିଜ ଗାଁରେ ଅନ୍ତିମ ସତ୍କାର କରାଯାଇଥିଲା।

ଏପଟେ ଏତେ ସରକାରୀ ବ୍ୟବସ୍ଥା ଥାଇ ବି ମୃତଦେହ ବୋହିବାକୁ ଗାଡ଼ି ଖଣ୍ଡେ ମିଳି ନପାରିବା ବିଡ଼ମ୍ବନାର ବିଷୟ । ମୃତଦେହର ଏଭଳି ଅସମ୍ମାନକୁ ବିଭିନ୍ନ ମହଲରେ ନାପସନ୍ଦ କରାଯିବା ସହିତ ଏଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଦୃଷ୍ଟି ଦେବାପାଇଁ ଦାବି ହୋଇଛି।

ad-week
Leave A Reply

Your email address will not be published.