୨୬ଟି ନୂତନ ୧୦୮ ଆମ୍ବୁଲାନ୍ସ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

youtube

cm

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ୨୬ଟି ଅତ୍ୟାଧୁନିକ ‘108’ ଆମ୍ବୁଲାନ୍ସ ଲୋକାର୍ପଣ କରିଛନ୍ତି। ଆଜି ନବୀନ ନିବାସଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠି ବିନିଯୋଗରେ କ୍ରୟ ହୋଇଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସକୁ ପତକା ଦେଖାଇ ରାଜ୍ୟବାସୀଙ୍କୁ ଜରୁରୀକାଳୀନ ସେବା ପ୍ରଦାନ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗୀସେବା ଯୋଗାଇଦେବା ଉଦ୍ଦେଶ୍ୟରେ କ୍ରୟ ହୋଇଥିବା ଏହି ୨୬ଟି ଆମ୍ବୁଲାନ୍ସ ପାଇଁ ୧୦.୯୨ କୋଟି ଟଙ୍କା ବିନିଯୋଗ ହୋଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଫାଇବ-ଟି ସଚିବ ଭି.କେ ପାଣ୍ଡିଆନ, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯଥା- ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, ଗର୍ଭବତୀ ଓ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ବିନା ଖର୍ଚ୍ଚରେ ଡାକ୍ତରଖାନାକୁ ନେବା ପାଇଁ ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସଫଳତାର ସହ କାର୍ଯ୍ୟ କରୁଛି। ଜୀବନ ରକ୍ଷାକାରୀ ସୁବିଧା ଥିବା ଏହି ୨୬ଟି ନୂତନ ଆମ୍ବୁଲାନ୍ସ ସାମିଲ ହେବାପରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ଅଧିକ ସୁଦୃଢ ହେବ। ଟୋଲ୍ ଫ୍ରି ନମ୍ବର ୧୦୮କୁ ଫୋନ୍ କରି ରାଜ୍ୟରେ ଏହି ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସୁବିଧା ଉପଲବ୍ଧ ହେଉଛି।

Leave A Reply

Your email address will not be published.