ବନ କର୍ମଚାରୀଙ୍କୁ ପୁଲିସ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର: ବନ୍ୟପ୍ରାଣୀ ପିସିସିଏଫ୍…

add-all

1Popli

ଭୁବନେଶ୍ବର: ବନ କର୍ମଚାରୀଙ୍କୁ ପୁଲିସ କ୍ଷମତା ଦେଇଛନ୍ତି ରାଜ୍ୟ ସରକାର। ଏହା କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି। ସେ ଆହୁରି କହିଛନ୍ତି, ବନ କର୍ମଚାରୀ ଶିକାରୀ ଓ ସନ୍ଦିଗ୍ଧଙ୍କ ମୋବାଇଲ ଟ୍ରାକିଙ୍ଗ କରିପାରିବେ। ଲୋକେସନ ଟ୍ରାକ ସହ କଲ ଡିଟେଲସ ମଧ୍ୟ ଯାଞ୍ଚ କରିବା ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ସେହିପରି ଶିକାରୀଙ୍କ ଦମନ ପାଇଁ ବନ ଅଧିକାରୀ ଗୁଳି ଚାଳନା ପ୍ରଶିକ୍ଷଣ ନେଉଛନ୍ତି। ଏପର୍ଯ୍ୟନ୍ତ ୯୦ଜଣ ଅଧିକାରୀ ଏହି ପ୍ରଶିକ୍ଷଣ ନେଇ ସାରିଥିବା ବେଳେ ଅନ୍ୟ ଅଧିକାରୀମାନେ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ନେବେ ବୋଲି ସୂଚନା ଦେଇଛନ୍ତି। ଆଜି ଜୟଦେବ ଭବନରେ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବନ୍ୟପ୍ରାଣୀ ପିସିସିଏଫ ଏକଥା କହିଛନ୍ତି।
ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଦେବୀଦତ୍ତ ବିଶ୍ଵାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବନ୍ୟପ୍ରାଣୀ ତଥା ସେମାନଙ୍କ ଆବାସସ୍ଥଳୀର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ଏହି ଉତ୍ସବ ପାଳନ ଅବସରରେ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା। କ୍ଵିଜ୍, ଫଟୋଗ୍ରାଫି ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଜେତାମାନଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା।

ad-week
Leave A Reply

Your email address will not be published.