ଗିରଫ ଡାକ୍ତରଙ୍କ ଶୌଚାଳୟରୁ ମିଳିଲା ୨୦,୫୫୮ ଡଲାର…

youtube

Untitled-1-303

ଭୁବନେଶ୍ୱର :   ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପ୍ରଦାନ ପାଇଁ ଜାହାଜ କ୍ରିଉ ମେମ୍ବର (ନାବିକ)ଙ୍କଠାରୁ ୫୪ ହଜାର ଲାଞ୍ଚ ନେବାବେଳେ ଗିରଫ ହୋଇଥିବା ପାରାଦୀପ ବନ୍ଦରସ୍ଥିତ ପୋର୍ଟ ହେଲ୍‌ଥ ଅର୍ଗାନାଇଜେଶନ(ପିଏଚ୍‌ଓ)ର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଶୁକ୍ରବାର ସିବିଆଇ ଘନଘନ ଜେରା କରିଛି। ତାଙ୍କ ବିରୋଧରେ ଏକ ମାମଲା ପରେ ମାମଲା ନଂ.ଆର୍‌ସି୧୦ଏ/୨୩, ଡିକେ ରୁଜୁ କରାଯାଇଛି। ତେବେ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ଭିତରେ ସିବିଆଇ ଅଧିକାରୀମାନେ ତାଙ୍କର ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛନ୍ତି।

ଏହି ଆଧାରରେ ସିବିଆଇ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ପାରାଦୀପ ଭୂୟାଁ ଛକରେ ଥିବା ଡା. ପାଣିଗ୍ରାହୀଙ୍କ ଅଫିସ ସମେତ ବାଲେଶ୍ୱର ଓ କଟକରେ ଥିବା ଘରେ ସିବିଆଇ ଚଢ଼ାଉ କରି ଖଟତଳ, ଟେବୁଲ ଡ୍ରୟାର ମଧ୍ୟରୁ ନଗଦ ୧୭ ଲକ୍ଷ ଟଙ୍କା ଓ ଶୌଚାଳୟରୁ ୨୦ ହଜାର ୫୫୮ ଆମେରିକୀୟ ଡଲାର, ଓଡିଶା ଓ ହାଇଦ୍ରାବାଦରେ ଥିବା ୫ଟି ସମ୍ପତ୍ତିର କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡଡିସ୍କକୁ ସିବିଆଇ ଅଧିକାରୀମାନେ ଜବତକରି ନେଇଛନ୍ତି। ସେହିପରି ପାରାଦୀପର ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ସିଗାରେଟ ମିଳିଥିବା ସୂଚନା ମିଳିଛି। ପରେ ଡା. ପାଣିଗ୍ରାହୀଙ୍କୁ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ଏହା ପୂର୍ବରୁ ସିବିଆଇ ଟିମ୍‌ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନେଇଥିଲା। ଏହି ସମୟରେ ସେ କୌଣସି ଲାଞ୍ଚ ନେଇନାହାନ୍ତି, ତାଙ୍କୁ ଫସାଇ ଦିଆଯାଇଥିବା ଗଣମାଧ୍ୟମ ଆଗରେ କହିଥିଲେ।

ଏମିନେନ୍ସ ଶିପିଂ ନାମକ କମ୍ପାନୀର କର୍ମଚାରୀ ଆଲୋକ ରାଉତ ଅକ୍ଟୋବର ୧୦ରେ ପୋର୍ଟ ହେଲ୍‌ଥ ମେଡିକାଲ କ୍ଲିୟରାନ୍ସ ପାଇଁ ପିଏଚ୍‌ଓ କାର୍ଯ୍ୟାଳୟକୁ ଯାଇ ଡାକ୍ତର ରାଜେନ୍ଦ୍ର ପାଣିଗ୍ରାହୀଙ୍କୁ ଭେଟିଥିଲେ। ଏଥିପାଇଁ ଡା. ପାଣିଗ୍ରାହୀ ୭୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଆଲୋକ ଅକ୍ଟୋବର ୧୧ରେ ମେଲ୍‌ ଜରିଆରେ ସିବିଆଇରେ ଅଭିଯୋଗ କରିଥିଲେ। ପରେ ଆଲୋକ ପୁଣିଥରେ ଅର୍ଥାତ୍‌ ଗୁରୁବାର ପିଏଚ୍‌ଓ କାର୍ଯ୍ୟାଳୟକୁ ଯାଇ ଡା. ପାଣିଗ୍ରାହୀ ସହ ମୂଲଚାଲ କରି ୫୪ ହଜାର ଟଙ୍କା ଦେଉଥିବାବେଳେ ପୂର୍ବ ଯୋଜନା ମୁତାବକ ସିବଆଇ ଟିମ୍‌ ସେଠାରେ ଚଢ଼ାଉକରି ତାଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଥିଲା। ଏହାପରେ ସିବିଆଇ ଟିମ୍‌ ତାଙ୍କୁ ହେପାଜତକୁ ଆଣି ମାରାଥନ ଜେରା କରିବା ସହ ବାଲେଶ୍ୱର ଜିଲା ସିମୁଳିଆରେ ଥିବା ବାସଭବନ, ଶ୍ୱଶୁର ଘର, ଭୁବନେଶ୍ୱରସ୍ଥିତ ଘରେ ଚଢ଼ାଉ ଆରମ୍ଭ କରିଥିଲା।

Leave A Reply

Your email address will not be published.