କୋରାପୁଟରେ ପୁଣି ବ୍ୟାପିଲା ଝାଡ଼ାବାନ୍ତି: ଜଣଙ୍କର ମୃତ୍ୟୁ…

add-all

ban

କୋରାପୁଟ: ଗତ କିଛିଦିନର ବ୍ୟବଧାନ ପରେ ପୁଣି କୋରାପୁଟ ଜିଲ୍ଲାରେ ଆତଙ୍କ ଖେଳାଇଲାଣି ଝାଡାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧୀନସ୍ଥ ଦେଓ ଖଡକ ଗାଁରେ ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ଓ ୪ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ଦେଓ ଖଡକ ଗାଁର କେତେକ ଲୋକ ଦୂଷିତ ପାଣି ବ୍ୟବହାର କରି ଝାଡ଼ାବାନ୍ତିର ଶିକାର ହୋଇ ଥିଲେ । ସେଥିରୁ ଭଲ ହୋଇ ଫେରିନଥିବା ବେଳେ ଆଜି ପୁଣି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେତେ ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିବା ଜଣାପଡ଼ିଛି । ଏହାରିଭିତରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମଧ୍ୟ ମିଳିଛି । ମୃତକ ଜଣଙ୍କ ସେହି ଗାଁର ବାସନ୍ତୀ ମୁଦୁଲି । ବାସନ୍ତିଙ୍କ ମୃତ୍ୟୁ ପରେ ସେହି ଗାଁର ଆଉ ୪ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରେ ଭର୍ତ୍ତି ହୋଇଛନ୍ତି ।

ତେବେ ଦୂଷିତ ପାଣି ଯୋଗୁଁ, ଗାଁରେ ଝାଡ଼ାବାନ୍ତି କମିବାରେ ନାଁ ଧରୁନି ବୋଲି ଗ୍ରାମବାସୀ କହିଛନ୍ତି । ପୂର୍ବ ଥର ଜିଲ୍ଲାରେ ଡାଇରିଆର ତାଣ୍ଡବଲୀଳା ଚାଲିଥିବା ବେଳେ ଡାକ୍ତରଖାନା ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଟିମ୍ ଗାଁରେ ଯାଇ, ଲୋକମାନଙ୍କୁ ସଚେତନତା କରିବା ସହ, ପ୍ରତିଷେଧକ ଔଷଧ ଦେଇ ଫେରିଥିଲେ। ପାଣି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଗାଁ ମାନଙ୍କରେ, ସ୍ଥାୟୀ ବିଶୁଦ୍ଧ ପାନୀୟ ଜଳର ସୁବିଧା କରା ଯାଇ ନାହିଁ । ସେହି ଦୂଷିତ ପାଣି ପିଇ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଆକର୍ଷଣ କରି, ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ଲାଗି ଦାବି ହେଉଛି।

ad-week
Leave A Reply

Your email address will not be published.