୨୦ ଅକ୍ଟୋବରରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

add-all

low-pressure.jpg

ଭୁବନେଶ୍ୱର: ସଂପ୍ରତି ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଓ ତା’ର ପାଶ୍ୱର୍ତ୍ତୀ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଧୀରେ ଧୀରେ ଉତ୍ତର ଉତ୍ତର- ପଶ୍ଚିମ ଦିଗରେ ଗତି କରିବ। ଏବଂ ଏହାର ପ୍ରଭାବରେ ୨୦ ଅକ୍ଟୋବର ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ବୁଲେଟିନ୍‌ରେ କୁହାଯାଇଛି।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ ଅନୁଯାୟୀ ଦକ୍ଷିଣ ପୂର୍ବ ଆରବ ସାଗର ଏବଂ ଏହାର ସଂଲଗ୍ନ ଲାକ୍ଷାଦ୍ୱୀପ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୩.୧ କିଲୋମିଟର ପର୍ଯ୍ୟନ୍ତ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୧ ତାରିଖ ବେଳକୁ କେନ୍ଦ୍ରୀୟ ଆରବ ସାଗରରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଯାହା ସମୁଦ୍ର ପତ୍ତନ ଠାରୁ ୪.୫ କିଲୋମିଟର ଉଚ୍ଚତାରେ ରହିଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ଏବଂ ଏହାର ପ୍ରଭାବରେ ଅକ୍ଟୋବର ୨୦ ତାରିଖ ବେଳକୁ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ଦକ୍ଷିଣ ପୂର୍ବ ବଙ୍ଗୋପସାଗର ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପର ଚିତ୍ର ଓ ପ୍ରଭାବ ଆସନ୍ତା ଦୁଇଦିନ ମଧ୍ୟରେ ସ୍ପଷ୍ଟ ହେବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।

ad-week
Leave A Reply

Your email address will not be published.