ଜାତୀୟ କ୍ରୀଡ଼ା ବିଜେତାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର…

add-all

nvt

ଭୁବନେଶ୍ବର : ଅକ୍ଟୋବର ୨୬ ତାରିଖରୁ ଗୋଆରେ ଆରମ୍ଭ ହେବ ୩୭ତମ ଜାତୀୟ କ୍ରୀଡ଼ା। ଏଥିରେ ଓଡ଼ିଶାରୁ ୩୦୦ରୁ ଅଧିକ ଆଥ୍‌ଲେଟ୍ ଭାଗ ନେବେ। ସେମାନଙ୍କ ମଧ୍ୟରେ ୧୮୦ ଜଣ ମହିଳା ଅଛନ୍ତି।
ଜାତୀୟ କ୍ରୀଡ଼ା ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ଯେଉଁ ପ୍ରତିଯୋଗୀମାନେ ସ୍ୱର୍ଣ୍ଣ ପଦକ ଜିତିବେ ସେମାନଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ। ସେହିପରି ରୌପ୍ୟ ପଦକ ଜିତିଲେ ୩ ଲକ୍ଷ ଓ ବ୍ରୋଞ୍ଜ ପଦକ ଜିତିଲେ ୨ ଲକ୍ଷ ଟଙ୍କା ଦିଆଯିବ। ଉଭୟ ବ୍ୟକ୍ତିଗତ ଓ ଟିମ୍ ଇଭେଣ୍ଟରେ ଏହି ପୁରସ୍କାର ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି।
୩୭ତମ ଜାତୀୟ କ୍ରୀଡ଼ାରେ ଭାଗ ନେବାକୁ ଥିବା ଖେଳାଳିଙ୍କୁ ଶୁଭକାମନା ଜଣାଇ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି, ମୁଁ ନିଶ୍ଚିତ ଯେ ଏହି ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଚମକିବେ।
ନିକଟରେ ଚୀନର ହାଙ୍ଗଝୌରେ ଶେଷ ହୋଇଥିବା ଏସିଆନ ଗେମ୍ସ ବା ଏସୀୟ କ୍ରୀଡ଼ାରେ କିଶୋର କୁମାର ଜେନା ଜାଭେଲିନ୍‌ରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କୁ ସରକାର ଦେଢ଼ କୋଟି ଟଙ୍କା ପ୍ରଦାନ କରିଥିଲେ। ସେହିପରି ଭାରତୀୟ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏଥିରେ ସଦସ୍ୟ ଥିବା ଓଡ଼ିଶାର ଅମିତ ରୋହିଦାସଙ୍କୁ ମଧ୍ୟ ସରକାର ଦେଢ଼ କୋଟି ଟଙ୍କାର ପୁରସ୍କାର ଦେଇଥିଲେ। ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ଜିତିଥିବା ବେଳେ ଏଥିରେ ସଦସ୍ୟ ଥିବା ଓଡ଼ିଶାର ଦୀପ ଗ୍ରେସ ମିଞ୍ଜଙ୍କୁ ସରକାର ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ।

ad-week
Leave A Reply

Your email address will not be published.