କାର୍‌ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଵାକ୍‌ ଅଟକ

add-all

srek

ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅଞ୍ଚଳରେ ଜଣେ କାର ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ପୁଲିସ୍ ଜଣେ କ୍ୱାକ୍‌ଙ୍କୁ ଅଟକ ରଖିଛି।

ମୃତ ଡ୍ରାଇଭରଙ୍କ ନାଁ ମୁକୁନ୍ଦ ନନ୍ଦ। ତାଙ୍କ ଘର ପୁଇଁତଳା ଥାନା କୁଳେରବାହାଲ ଗାଁରେ। ଗତକାଲି ସନ୍ଧ୍ୟାରେ ମୁକୁନ୍ଦଙ୍କ କାରକୁ ଭଡ଼ାରେ ନେଇ କୁଟାସିଂହା ଯାଇଥିଲେ ଅଭିଯୁକ୍ତ କ୍ୱାକ୍ ଅନୀଲ ମହାକୁଡ଼। ସେଠାରେ ହଠାତ୍ ଅଚେତ ହୋଇଯାଇଥିଲେ କାର ଡ୍ରାଇଭର ମୁକୁନ୍ଦ। ତେଣୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଣିଥିଲେ ଅନୀଲ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅଭିଯୁକ୍ତ କ୍ୱାକ୍ ଅନୀଲ ମହାକୁଡ଼ଙ୍କ ସୂଚନା ଅନୁଯାୟୀ, ରାତିରେ ଢାବାରେ ଖାଇବା ପରେ ଅସୁସ୍ଥ ଅନୁଭବ କରିଥିଲେ କାର୍ ଡ୍ରାଇଭର ମୁକୁନ୍ଦ ନନ୍ଦ। ତେଣୁ ସେ ଯାଇ କାର୍‌ରେ ଶୋଇଥିଲେ। କିନ୍ତୁ ଆଉ ଉଠି ନଥିଲେ। ତେଣୁ ସେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଆଣିଥିଲେ।

ଅନ୍ୟପକ୍ଷରେ ମୁକୁନ୍ଦଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅନୀଲ ମହାକୁଡ଼ ତାଙ୍କୁ ହତ୍ୟା କରିଥିବା ସେମାନେ ଅଭିଯୋଗ କରିଛନ୍ତି। ମୁକୁନ୍ଦଙ୍କ କାନରୁ ରକ୍ତ ବାହାରୁଥିଲା ବୋଲି ସେମାନେ କହିଛନ୍ତି। ଯଦି ମୁକୁନ୍ଦ ଅସୁସ୍ଥ ହୋଇପଡ଼ିଲେ, ତା’ହେଲେ ନିକଟସ୍ଥ ଡାକ୍ତରଖାନାକୁ ନନେଇ ୪୦ କିମି ଦୂର ବଲାଙ୍ଗିରକୁ କାହିଁକି ଅନୀଲ ଆଣିଲେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

ଘଟଣାଟି ଲୋଇସିଂହା ଥାନା ଅଞ୍ଚଳରେ ଘଟିଥିବାରୁ ପୁଇଁତଳା ପୁଲିସ ମୁକୁନ୍ଦଙ୍କ ପରିବାର ଲୋକଙ୍କୁ ସେଠାରେ ଯାଇ ଅଭିଯୋଗ କରିବାକୁ ପରାମର୍ଶ ଦେଇଛି। ତା’ ସହିତ ପୁଇଁତଲା ଥାନା ପୁଲିସ୍ ଅନୀଲଙ୍କୁ ଅଟକ ରଖିଛି।

ହତ୍ୟା ଅଭିଯୋଗକୁ ଅନୀଲ ମହାକୁଡ଼ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣାପଡ଼ିବ। ଅନ୍ୟପକ୍ଷରେ ଏହି ଘଟଣା ନେଇ ପୁଇଁତଳା ପୁଲିସ୍‌ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ad-week
Leave A Reply

Your email address will not be published.