ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ, ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

add-all

chh

ଛତିଶଗଡ : ଆସନ୍ତାମାସରେ ନିର୍ବାଚନ ହେବାକୁ ଥିବା ଛତିଶଗଡ଼ରେ ଯଦି କଂଗ୍ରେସ ପୁଣି କ୍ଷମତାକୁ ଆସିବ, ତା’ହେଲେ ଚାଷୀଙ୍କ ସବୁ ଋଣ ଛାଡ଼ କରାଯିବ ବୋଲି ଆଜି ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।

ସେ ଦଳର ପ୍ରଚାର କରି ଆଜି କହିଛନ୍ତି, “ସବୁ କୃଷି ଋଣ ଛାଡ଼ କରାଯିବ। ଆମେ ପୂର୍ବରୁ ଯେମିତି ଋଣ ଛାଡ଼ି କରିଥିଲୁ, ଏବେ କଂଗ୍ରେସ କ୍ଷମତାକୁ ଆସିଲେ ତୁରନ୍ତ ସେଭଳି ପଦକ୍ଷେପ ନେବ।” ସେ ନିଜ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ଏପରି ଘୋଷଣା କରିବା ସହ ଶକ୍ତି ନିର୍ବାଚନ ମଣ୍ଡଳୀରେ ସେ ଲୋକଙ୍କୁ ସମ୍ବୋଧନ କରୁଥିବା ସମୟର ଭିଡିଓକୁ ମଧ୍ୟ ପୋଷ୍ଟ କରିଛନ୍ତି। ଉକ୍ତ ସଭାରେ ହିଁ ସେ ଚାଷୀଙ୍କ ଋଣ ମାଫ, ଜାତିଗତ ଜନଗଣା ଓ ୧୭.୫ ଲକ୍ଷ ଲୋକଙ୍କୁ ଘର ମିଳିବ ବୋଲି ସେ କହିଛନ୍ତି।

ଛତିଶଗଡ଼ର ୯୦ ଆସନରେ ପ୍ରାର୍ଥୀ ଚୟନ କରି ସାରିଥିବା କ୍ଷମତାସୀନ କଂଗ୍ରେସ ଏଯାଏ ତା’ର ନିର୍ବାଚନୀ ଇସ୍ତାହାର ଜାରି କରି ନାହିଁ। ଆସନ୍ତା ୭ ତାରିଖ ଓ ୧୭ ତାରିଖରେ ଛତିଶଗଡ଼ବାସୀ ପରବର୍ତ୍ତୀ ସରକାର ପାଇଁ ଭୋଟ ଦେବେ। ତେବେ ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି କୃଷି ଋଣ ଛାଡ଼ କରିବା କଥା କହିଛନ୍ତି।

ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଛତିଶଗଡ଼ ଆସିବା ସମୟରେ ଜାତିଗତ ଜନଗଣନା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଜ୍ୟର ୧୭.୫ ଲକ୍ଷ ଗରିବ ଲୋକଙ୍କୁ ଘର ମିଳିବ ବୋଲି କହିଥିଲେ। ତେଣୁ ଏହି ସବୁ କଂଗ୍ରେସ କ୍ଷମତାକୁ ଆସିବା କ୍ଷଣି ପୂରଣ କରାଯିବ ବୋଲି ବାଘେଲ କହିଛନ୍ତି।

ସେ କହିଛନ୍ତି, “କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ ତାଙ୍କ ଭାଗ ନ ଦେଲେ ମଧ୍ୟ ଆମେ ଲୋକଙ୍କୁ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛୁ। ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସ୍‌ପି) ଆଧାରରେ କଂଗ୍ରେସ ସରକାର ଚାଷୀଙ୍କ ଠାରୁ ଏକର ପିଛା ୨୦ କ୍ୱିଣ୍ଟାଲ ଲେଖାଏ ଧାନ କିଣିବ ବୋଲି ପୂର୍ବରୁ ହିଁ କହି ସାରିଛି।

କଂଗ୍ରେସ ସରକାର ପୂର୍ବରୁ ହିଁ କୃଷି ଭିତ୍ତିକ ଇନପୁଟ ସବିସିଡି ଚାଷୀଙ୍କୁ ଦେଉଛି। ସେମାନେ ଯେମିତି କ୍ୱିଣ୍ଟାଲ ପିଛା ୨୫ଶହ ଟଙ୍କା ପାଇବେ, ତା’କୁ ମଧ୍ୟ ନିଶ୍ଚିତ କରାଯାଇଛି। ଆମ ସରକାର ଚାଷୀଙ୍କ କଲ୍ୟାଣ ପାଇଁ ସବୁ ପ୍ରକାରର ପଦକ୍ଷେପ ନେଇଛି। ଚାଷୀଙ୍କୁ ସଶକ୍ତ କରିବା ପାଇଁ ଆମେ ପ୍ରତିବଦ୍ଧ। ତେଣୁ କଂଗ୍ରେସ କ୍ଷମତାକୁ ଆସିବା ପରେ ଚାଷୀଙ୍କ ଋଣ ମାଫ କରାଯିବ।”

ad-week
Leave A Reply

Your email address will not be published.