

ଇସ୍ରାଏଲ ସେନା ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ଥିବାବେଳେ ଏହା ପୂର୍ବରୁ ଗାଜାରେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ଜାତିସଂଘ ସୁରକ୍ଷା ପରିଷଦରେ ଇସ୍ରାଏଲ-ଗାଜା ବିବାଦ ନେଇ ଆଲୋଚନା ସମୟରେ ଭାରତ ମଧ୍ୟ ଗାଜାରେ ବିପର୍ଯ୍ୟୟ ସ୍ଥିତି ପାଇଁ ଚିନ୍ତା ପ୍ରକଟ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଆମେରିକା ଏହାର ନିଜସ୍ବ ନିଷ୍ପତ୍ତି ନେବ। ଇତିମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଏହା ଗାଜା ଷ୍ଟ୍ରିପ୍ରେ ସ୍ଥଳ ଅଭିଯାନ ପାଇଁ ପ୍ରସ୍ତୁତି ଜାରି ରଖିଛି।
ମଙ୍ଗଳବାର ଦିନ ଇସ୍ରାଏଲ ଗାଜା ଉପରେ ଦିନକରେ ୪୦୦ ଥର ବିମାନ ଆକ୍ରମଣ କରିଛି। ହମାସ ଇସ୍ରାଏଲ ଉପରେ ରକେଟ୍ ମାଡ଼ ପାଇଁ ପ୍ରସ୍ତୁତ ହୋଇଥିବା ଜାଣିବାପରେ ଇସ୍ରାଏଲ ୪୦୦ ଥର ବିମାନ ଆକ୍ରମଣ କରିଥିବା କହିଛି। ଏହାର ପୂର୍ବଦିନ ମଧ୍ୟ ଇସ୍ରାଏଲ ୩୨୦ ଥର ବିମାନ ଆକ୍ରମଣ କରିଥିଲା। ତେବେ ଯୁଦ୍ଧର ପରିଣତି ସ୍ବରୂପ ଗାଜାରେ ୨.୩ ନିୟୁତ ଲୋକଙ୍କ ପାଖରେ ଖାଦ୍ୟ ନାହିଁ କି ପାଣି ନାହିଁ କି ଔଷଧ ମଧ୍ୟ ନାହିଁ। ହମାସ ନେତୃତ୍ବାଧୀନ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ୫,୭୯୧ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬, ୨୯୭ ଜଣ ଆହତ ହୋଇଛନ୍ତି। ୱେଷ୍ଟ ବ୍ୟାଙ୍କ୍ରେ ୯୬ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଛି ଏବଂ ୧୬୫୦ ଜଣ ଆହତ ହୋଇଛନ୍ତି ବୋଲି ଦାବି ହୋଇଛି।
