ଏବେ କୋଟିଆ ଉପରେ ନଜର: ଫାଟୁସିନେରିରେ ମେଗା ସ୍ୱାସ୍ଥ୍ୟ ମେଳା…

add-all

kotia-750x402

କୋରାପୁଟ/ପଟ୍ଟାଙ୍ଗି: ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେଇ ନିଜର କରିବାକୁ ଉଦ୍ୟମରେ ଆନ୍ଧ୍ରକୁ ଶକ୍ତ ଧକ୍କା। ଆଜି କୋଟିଆ ପଞ୍ଚାୟତର ଫାଟୁସିନେରିରେ ମେଗା ସ୍ବାସ୍ଥ୍ୟ ମେଳା କରିଛି ପଟାଙ୍ଗି ବ୍ଲକ ପ୍ରଶାସନ। ଆଦିବାସୀ ଗୀତରେ ଲୋକଙ୍କୁ ସଚେତନ କରିବା ସହ ଜନସଂପର୍କକୁ ସର୍ବାଧିକ ଗୁରୁତ୍ବ ଦେଇଛି। ସକାଳୁ ସଞ୍ଜ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମ କରି ଆନ୍ଧ୍ରକୁ ସ୍ପଷ୍ଟ ବାର୍ତ୍ତା ଦେଇଛି, କୋଟିଆ ଓଡ଼ିଶାର।
୧୦ଦିନ ମଧ୍ୟରେ ଦୁଇ ଥର କୋଟିଆରେ ସ୍ବାସ୍ଥ୍ୟସେବା ଶିବିର ଆୟୋଜନ କରି ଘରେ ଘରେ ଆନ୍ଧ୍ର ସରକାରଙ୍କ ବାର୍ତ୍ତା ପହଞ୍ଚାଇବାକୁ ଆନ୍ଧ୍ର ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ନୂଆ ଉଦ୍ୟମ ଆରମ୍ଭ କରିଥିଲା। ସେହିପରି ପରୋକ୍ଷରେ କୋଟିଆ ଉପରେ ଆନ୍ଧ୍ରର ପ୍ରଭାବ ରହିଥିବା ଦର୍ଶାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହାର କଡ଼ା ଜବାବ ଦେଇ ଆନ୍ଧ୍ରର ଉଦ୍ୟମକୁ ଭଣ୍ଡୁର କରିଛି ପଟାଙ୍ଗି ବ୍ଲକ ପ୍ରଶାସନ। ଆଜି କୋଟିଆର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଫାଟୁସିନେରିରେ ପ୍ରଶାସନ ବଡ଼ ଆୟୋଜନ କରିଥିଲା।

ମେଗା ସ୍ୱାସ୍ଥ୍ୟ ମେଳା ତଥା ସମନ୍ୱିତ ସେବା ଶିବିର କରି ଲୋକଙ୍କ ମୁହଁରୁ ସେମାନଙ୍କ ସୁଖଦୁଃଖ ଶୁଣିଛି। ଏହାପରେ ଓଡ଼ିଶା ସରକାରଙ୍କ ଯୋଜନା ସଂପର୍କରେ ଫାଟୁସିନେରି, ଫଗୁଣସିନେରି, ମାଡକାର୍, ଡୋଲିଆମ୍ବ, ସଲପଗୁଡ଼ା, କନାଦୋରା ଗ୍ରାମବାସୀଙ୍କୁ ଅବଗତ କରାଇଛି। ସେହିପରି ୩୨ ହିତାଧିକାରୀଙ୍କୁ ଭତ୍ତା, ୪୨ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ, ୫୪ଜଣ ହିତାଧିକାରୀଙ୍କୁ ରୋଷେଇ ଉପକରଣ, ୧୩୦ଜଣ ହିତାଧିକାରୀଙ୍କୁ କୁକୁଡ଼ା ଚିଆଁ, ୧୭ଜଣ ହିତାଧିକାରୀଙ୍କୁ ମନରେଗା ଜବକାର୍ଡ, ୩୭ଜଣ ସ୍କୁଲ୍ ପିଲାଙ୍କୁ ପୋଷାକ ପ୍ରଦାନ କରିଛି। ଏହାବ୍ୟତୀତ ୮୦ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ୧୭ଜଣଙ୍କୁ ଚଷମା ଦିଆଯାଇଥିଲା। ୪୮ ଗୃହପାଳିତ ପଶୁଙ୍କ ଟିକାକରଣ ମଧ୍ୟ ହୋଇଥିଲା। କାର୍ଯ୍ୟକ୍ରମରେ ବିଡିଓ ସୁକାନ୍ତ ପଟନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ କଳ୍ପନା ପାଙ୍ଗି, ବିଧାୟକଙ୍କ ପ୍ରତିନିଧି ଜୟସିଂ ପଡାସେଠୀ, କୋଟିଆ ସରପଞ୍ଚ ଲିଉ ଗେମେଲଙ୍କ ସମେତ ବହୁ ଅଧିକାରୀ, ଶିକ୍ଷକ, ଅଙ୍ଗନବାଡିକର୍ମୀ ଉପସ୍ଥିତ ଥିଲେ। ବିଡିଓ ସୁକାନ୍ତ ପଟ୍ଟନାୟକ କହିଛନ୍ତି, କୋଟିଆର ସର୍ବାଙ୍ଗୀନ ବିକାଶକୁ ପ୍ରାଥମିକତା ଦିଆଯାଇଛି। ତେଣୁ ସମସ୍ତ ଗାଁରେ ଭିତ୍ତିଭୂମି ବିକାଶ କାର୍ଯ୍ୟ ଚାଲିଛି ଏବଂ ଜୀବିକା ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କୋଟିଆବାସୀ କିଭଳି ସଚେତନ ହେବେ ଏବଂ ବିକାଶ କଣ ଜାଣିବେ ସେଥିପାଇଁ ଆଞ୍ଚଳିକ ଭା‌ଷାରେ ଗୀତ, ନାଚ ଏବଂ ପଥପ୍ରାନ୍ତ ନାଟକ କରାଯାଇଛି।

ad-week
Leave A Reply

Your email address will not be published.