କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ

IMAGE_1699071569

ଭୁବନେଶ୍ବର : କମେଣ୍ଟ ମରାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ଥିବା ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେସନ କଲେଜରେ।
ଗତକାଲି କଲେଜର ଦୁଇ ଗୋଷ୍ଠୀର କିଛି ଛାତ୍ର କଳିଙ୍ଗ ଷ୍ଟାଡିୟମକୁ ଫୁଟବଲ ମ୍ୟାଚ୍ ଦେଖିବାକୁ ଯାଇଥିଲେ। ମ୍ୟାଚ୍ ଦେଖି ଆସିବା ପରେ ଦୁଇ ଗୋଷ୍ଠୀ ମଧ୍ୟରେ ମ୍ୟାଚକୁ ନେଇ କଥାକଟାକଟି ହୋଇଥିଲା। ଗୋଟିଏ ଗୋଷ୍ଠୀର ଛାତ୍ର ଯେଉଁ ଦଳକୁ ସର୍ମଥନ କରୁଥିଲେ ସେହି ଦଳ ଜିତିଥିବାରୁ ଅନ୍ୟ ଗୋଷ୍ଠୀର ଛାତ୍ରମାନେ ସେମାନଙ୍କୁ କମେଣ୍ଟ ମାରିଥିଲେ। ଏନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।
ପରେ ଗୋଟିଏ ଛାତ୍ର ଗୋଷ୍ଠୀ ଯାଇ କଳିଙ୍ଗ ଷ୍ଟାଡିୟମ ନିକଟରେ ବାର୍ଥ ଡେ’ ପାର୍ଟି ସେଲିବ୍ରେସନ କରୁଥିଲେ। ଏହି ସମୟରେ ଅନ୍ୟ ଛାତ୍ର ଗୋଷ୍ଠୀ ପହଞ୍ଚି କମେଣ୍ଟ ମରାନେଇ ସେମାନଙ୍କୁ ମାଡ଼ ମାରିଥିଲେ। ପରେ ସେଠାରୁ ପଳାଇ ଆସିଥିଲେ। ମାଡ଼ ଖାଇଥିବା ଛାତ୍ର ଗୋଷ୍ଠୀ କିଛି ପିଲାଙ୍କୁ ନେଇ ଅନ୍ୟ ଗୋଷ୍ଠୀର ଛାତ୍ରଙ୍କୁ ମାରିବା ପାଇଁ କ୍ୟାମ୍ପସ ବାହାରେ ଠିଆ ହୋଇଥିଲେ। ସେମାନେ ପହଞ୍ଚିବା ପରେ ଉଭୟଙ୍କ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ଛାତ୍ର ଗୋଷ୍ଠୀର ୩ଜଣ ଆହତ ହୋଇଥିଲେ।
ସହିଦନଗର ଥାନା ପୁଲିସ ଉଭୟ ଛାତ୍ର ଗୋଷ୍ଠୀକୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଆହତ ଛାତ୍ରଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

ad-week
Leave A Reply

Your email address will not be published.