ନେପାଳରେ ପୁଣି ଭୂମିକମ୍ପ, ଲୋକେ ଭୟଭୀତ…

add-all

wer

ପୁଣି ଦୋହଲିଆ ନେପାଲ। ଆଜି ଭୋରୁ ପୁଣି ଥରେ ଏଠି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ସୂଚନା ଦେଇଛି। ରିକ୍ଟର ଏହାର ତୀବ୍ରତା ୩.୬ ରେକର୍ଡ କରାଯାଇଛି। ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍‌ ଦୂର ଭୂଗର୍ଭର ୧୦ କିଲୋମିଟର୍‌ ଗଭୀରରେ ଏହି ଭୂମିକମ୍ପ ହୋଇଛି। ପୁଣି ଥରେ ଏଠି ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ନେପାଳବାସୀ ଭୟଭୀତ ହୋଇପଡିଛନ୍ତି। ଏହାକୁ ମିଶାଇ ନେପାଳରେ ଦୁଇ ଦିନ ମଧ୍ୟରେ ତିନି ଥର ଭୂମିକମ୍ପ ହେଲାଣି।

ଉଲ୍ଲେଖଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତ୍ରରେ ନେପାଳରେ ୬.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏଥିରେ ବର୍ତ୍ତମାନ ସୁଦ୍ଧା ୧୫୭ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଅନେକ ଘରବାଡ଼ି ଭାଙ୍ଗିଯାଇଛି। କେବଳ ସେତିକି ନୁହେଁ, ଶନିବାର ଅପରାହ୍ଣରେ ମଧ୍ୟ ୩.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

ସେପଟେ ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଭୂକମ୍ପ ଯୋଗୁ କ୍ଷତିଗ୍ରସ୍ତର ସମୀକ୍ଷା କରିଛନ୍ତି। ହେଲିକପ୍ଟର ମାଧ୍ୟରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ନେପାଳ ସେନା, ସଶସ୍ତ୍ର ବାହିନୀ ଓ ପୁଲସକୁ ସଜାଗ ରହିବାକୁ କହୁହାଯାଇଛି। ଏଥିସହ ବ୍ୟାପକ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ପଡ଼ୋଶୀ ଦେଶ ଭାବେ ଭାରତ ଏଭଳି ଦୁର୍ବିପାକ ବେଳେ ନେପାଳକୁ ସାହାଯ୍ୟ କରିବ ବୋଲି ଘୋଷଣା କରିଛି। ନେପାଳରେ ରହୁଥିବା ଭାରତୀୟମାନଙ୍କୁ ସାହାଯ୍ୟ କରିବା ଲାଗି ମଧ୍ୟ ଭାରତୀୟ ଦୂତାବାସ ତରଫରୁ ‘ଏମର୍ଜେନ୍‌ସି ନମ୍ବର’ (+୯୭୭-୯୮୫୧୩୧୬୮୦୭) ରିଲିଜ୍‌ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭୂମିକମ୍ପ ଯୋଗୁଁ ନେପାଳରେ ଘଟିଥିବା ଧନଜୀବନ ନଷ୍ଟ ଲାଗି ଗଭୀର ଦୁଃଖ ବ୍ୟକ୍ତ କରିଥିଲେ। ନେପାଳକୁ ସମର୍ଥନ କରିବା ସହିତ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ଆଗ୍ରହୀ ବୋଲି ସେ କହିଥିଲେ।

ad-week
Leave A Reply

Your email address will not be published.