ଷ୍ଟୁଡିଓ ଭିତରେ ପଶି ରେଡିଓ ଜକିଙ୍କୁ ଦୁଇ ରାଉଣ୍ଡ ଗୁଳିମାଡ଼

add-all

IMAGE_1699251957

ଷ୍ଟୁଡିଓ ଭିତରେ ପଶି ରେଡିଓ ଜକିଙ୍କୁ ଗୁଳିମାଡ। ଘଟଣାସ୍ଥଳରେ ଟଳି ପଡିଲେ ବ୍ୟକ୍ତି। ରବିବାର ଦିନ ଫିଲିପିନ୍ସରେ ଏକ ଷ୍ଟୁଡିଓ ଭିତରେ ପଶି କିଛି ଦୁର୍ବୃତ୍ତ ଜଣେ ରେଡିଓ ଜକିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ଏନେଇ ପୁଲିସ ସୂଚନା ଦେଇଛି।

କ୍ୟାଲାମ୍ବା ମୁନିସ୍‌ପାଲିଟି ପୁଲିସ ମୁଖ୍ୟ କ୍ୟାପ୍ଟେନ୍‌ ଡିଓର୍‌ ରେଗୋନିଓ କହିଛନ୍ତି, ଦାକ୍ଷିଣାତ୍ୟ ଦ୍ୱୀପ ମିଣ୍ଡାନାଓ ସ୍ଥିତ ବାସଭବନରେ ଥିବା ଷ୍ଟୁଡିଓ ଭିତରେ ୫୭ ବର୍ଷିୟ ଜୁଆନ୍‌ ଜୁମାଲୋନ୍‌ ଓରଫ୍‌ ‘ଡିଜେ ଜନି ୱାକର୍‌’ ସକାଳ ପ୍ରସାରଣ କରୁଥିଲେ। ଏତିକିବେଳେ ଶ୍ରୋତା ଭାବରେ ଜଣେ ବନ୍ଧୁକଧାରୀ ଷ୍ଟୁଡିଓ ଭିତରେ ପ୍ରବେଶ କରି ତାଙ୍କ ମୁଣ୍ଡକୁ ଗୁଳିମଡ଼ କରିଛନ୍ତି। ଦୁଇ ରାଉଣ୍ଡ ଗୁଳିମାଡ଼ ହୋଇଛି। ଫଳରେ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ।

ତା’ପରେ ଆକ୍ରମଣକାରୀ ଜୁମାଲୋନ୍‌ଙ୍କ ସୁନାଚେନ୍‌ ଛିଡ଼ାଇ ନେଇ ସହଯୋଗୀଙ୍କ ସହ ବାଇକ୍‌ରେ ବସି ପଳାଇ ଯାଇଥିଲେ। ପୁଲିସ ଏହି ହତ୍ୟା ମାମଲାର ତଦନ୍ତ ଜାରି ରଖିଛି। ଆକ୍ରମଣକାରୀକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୁଲିସ କହିଛି।

ଏହି ହତ୍ୟାକାଣ୍ଡକୁ ‘ନ୍ୟାସ୍‌ନାଲ୍‌ ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ’ ନିନ୍ଦା କରିଛି। ୨୦୨୨ ଜୁନ୍‌ରେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାକ୍ରୋସ୍‌ ଜୁନିୟର୍‌ କ୍ଷମତାକୁ ଆସିବା ପରଠାରୁ ଜୁମାଲୋନ୍‌ଙ୍କୁ ମିଶାଇ ୪ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲାଣି ବୋଲି ନ୍ୟାସ୍‌ନାଲ୍‌ ୟୁନିୟନ୍‌ ଅଫ୍‌ ଜର୍ଣ୍ଣାଲିଷ୍ଟ କହିଛି।

ଉଲ୍ଲେଖଯୋଗ୍ୟ, ସାମ୍ବାଦିକମାନଙ୍କ ପାଇଁ ଏହି ଦ୍ୱୀପପୁଞ୍ଜ ବିଶ୍ୱରେ ସବୁଠୁ ବିପଜ୍ଜନକ। କାରଣ ସାମ୍ବାଦିକ ହତ୍ୟାକାରୀମାନଙ୍କ ପ୍ରତି ଦଣ୍ଡବିଧାନ କରାଯାଉନାହିଁ। ବିଶେଷକରି, ରାଜଧାନୀ ବାହାରେ ଥିବା ରେଡିଓ ଜକିଙ୍କୁ ବା ଉପସ୍ଥାପକମାନଙ୍କୁ ଟାର୍ଗେଟ୍‌ କରାଯାଉଛି।

ad-week
Leave A Reply

Your email address will not be published.