୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଯାଇ ସ୍ତ୍ରୀଙ୍କୁ ହତ୍ୟା କଲେ କନେଷ୍ଟବଳ…

newyr25

werw

ବେଙ୍ଗାଲୁରୁ: ୧୫୦ ଥର କଲ୍‌ କରିବା ପରେ ବି ଫୋନ୍‌ ନ ଧରିବାରୁ ୨୩୦ କିଲୋମିଟର୍‌ ଦୂରରେ ଥିବା ଶଶୁରଘରକୁ ଯାଇ କର୍ଣ୍ଣାଟକ ପୁଲିସର ଜଣେ କନେଷ୍ଟବଳ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପୁଲିସ କହିଛି।

ସମ୍ପ୍ରତି ବାପଘରେ ସନ୍ତାନ ପ୍ରସବ କରିଥିବା ଉକ୍ତ ମହିଳାଙ୍କର ଚାରିତ୍ରିକ ଦୋଷ ଅଛି ବୋଲି କନେଷ୍ଟବଳଜଣକ ସନ୍ଦେହ କରି ଫୋନ୍‌ରେ ତାଙ୍କୁ ଗାଳିଗୁଲଜ କରିଥିଲେ। ତା’ପରେ କନେଷ୍ଟବଳଜଣକ ତାଙ୍କ ପାଖକୁ ୧୫୦ ଥର କଲେ କରିଥିଲେ, କିନ୍ତୁ ସ୍ତ୍ରୀ ଆଉ ଫୋନ୍‌ ଧରି ନ ଥିଲେ। ରାଗ ସମ୍ଭାଳି ନ ପାରି କନେଷ୍ଟବଳଜଣକ ଚାମରାଜନଗରରୁ ୨୩୦ କିଲୋମିଟର୍‌ ଦୂର ହୋସ୍‌କାଟେ ନିକଟରେ ଥିବା ଶଶୁରଘରକୁ ଯାଇ ସୋମବାର ସକାଳେ କୀଟନାଶକ ଖାଇବା ସହିତ ତଣ୍ଟିଚିପି ସ୍ତ୍ରୀକୁ ହତ୍ୟା କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଅଭିଯୁକ୍ତ ହେଉଛନ୍ତି ଚାମରାଜନଗର ଅନ୍ତର୍ଗତ ରାମସମୁଦ୍ରସ୍ଥିତ ଚାମରାଜନଗର ଇଷ୍ଟ୍‌ ଥାନାରେ କନେଷ୍ଟବଳ ଚାକିରି କରୁଥିବା ୩୨ ବର୍ଷିୟ କିଶୋର ଡି। ବାପଘର ହୋସ୍‌କାଟେ ନିକଟ କାଲାଥୁର ଗାଁରେ ୧୧ ଦିନ ତଳେ ତାଙ୍କ ସ୍ତ୍ରୀ ୨୪ ବର୍ଷୀୟ ପ୍ରତିବା ପୁଅଟିଏ ଜନ୍ମ କରିଥିଲେ। କମ୍ପ୍ୟୁଟର୍‌ ସାଇନ୍‌ସ୍‌ରେ ‘ବିଇ’ କରିଥିବା ପ୍ରତିବା ୨୦୨୨ ନଭେମ୍ବର ୧୩ରେ କୋଲାର ଜିଲ୍ଲା ଅନ୍ତର୍ଗତ ବୀରପୁର ଗାଁର କିଶୋରଙ୍କୁ ବିବାହ କରିଥିଲେ।

ପୁଲିସ କହିବା ଅନୁସାରେ, କିଶୋର ପ୍ରତିବାଙ୍କ ଚରିତ୍ରକୁ ସନ୍ଦେହ କରି ନିୟମିତ ଭାବେ ତାଙ୍କର ମେସେଜ୍‌ ଓ କଲ୍‌ ଡିଟେଲ୍‌ ଯାଞ୍ଚ କରନ୍ତି। ପ୍ରତିବାଙ୍କ ସହିତ କଥା କହିଥିବା ବା ମେସେଜ୍‌ ପଠାଇଥିବା ସବୁ ଲୋକଙ୍କ କଥା ପଚାରି ବୁଝନ୍ତି। କଲେଜର ଦୁଇଜଣ ସହପାଠୀ ଯୁବକଙ୍କ ସହିତ ପ୍ରତିବାଙ୍କର ସମ୍ପର୍କ ନିବିଡ଼ ହେଉଛି ବୋଲି ସେ ସବୁବେଳେ ଅଭିଯୋଗ କରୁଥିଲେ।

ରବିବାର ସନ୍ଧ୍ୟା ବେଳେ କିଶୋର ପ୍ରତିବାଙ୍କୁ ଫୋନ୍‌ କରି କୌଣସି କଥାକୁ ନେଇ ଭୀଷଣ ଗାଳି ଦେଇଥିଲେ। ପ୍ରତିବା କାନ୍ଦୁଥିବା ଦେଖି ମାଆ ଭେଙ୍କଟଲକ୍ଷ୍ମାମ୍ମା ତାଙ୍କ ହାତରୁ ଫୋନ୍‌ ନେଇ ‌ସଂଯୋଗ କାଟି ଦେଇଥିଲେ। ଆଉ ପରାମର୍ଶ ଦେଇଥିଲେ କି, ସେ ଆଉ କିଶୋରଙ୍କ ଫୋନ୍‌ ନ ଧରୁ। କିଶୋର ୧୫୦ ଥର କଲ୍‌ କରିଥିବା କଥା ତହିଁ ଆର ଦିନ ଦେଖି ପ୍ରତିବା ବାପାମାଆଙ୍କୁ କହିଥିଲେ।

ସୋମବାର ୧୧.୩୦ରେ କିଶୋର ଶଶୁର ଘରେ ପହଞ୍ଚି କୀଟନାଶକ ଖାଇ ପ୍ରତିବା ଓ ପୁଅ ଥିବା କୋଠରିରେ ପଶି ଭିତରପଟୁ କବାଟ କୀଳି ଦେଲେ। ଓଢ଼ଣିରେ ପ୍ରତିବାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କଲେ। ବିପଦ ଆଶଙ୍କା କରି ଶାଶୂ ଭେଙ୍କଟଲକ୍ଷ୍ମାମ୍ମା କବାଟ ବାଡ଼ାଇ ଖୋଲିବାକୁ କିଶୋରଙ୍କୁ କହିଲେ। କିନ୍ତୁ, ପ୍ରାୟ ୧୫ ମିନିଟ ପରେ କିଶୋର କବାଟ ଖୋଲି ‘ମୁଁ ତାକୁ ମାରି ଦେଲି, ମୁଁ ତାକୁ ମାରି ଦେଲି’ ବୋଲି କହିଲେ।

ଏହାପରେ ସେ ନିଜେ ଯାଇ କୋଲାର୍‌ ଅନ୍ତର୍ଗତ ତାମାକାରେ ଥିବା ‘ଆର୍‌ଏଲ୍‌ ଜଲାପ୍ପା ଡାକ୍ତରଖାନା’ରେ ଭର୍ତ୍ତି ହୋଇଥିଲେ। ହୋସ୍‌କୋଟେ ପୁଲିସ ତାଙ୍କୁ ସେଠାରୁ ଆଉ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ସେଠାରୁ ଡିସ୍‌ଚାର୍ଜ ହେଲେ, ପୁଲିସ ତାଙ୍କୁ ହାଜତକୁ ନେବ ।

Leave A Reply

Your email address will not be published.