ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା ମାମଲା: ଜେଲ୍‌ ଗଲା ଘନିଆ…

Independence

sfhffhfhfhh-750x430

ଭୁବନେଶ୍ବର: ସୋମବାର ସନ୍ଧ୍ୟାରେ ମାତ୍ର ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିବା ପରେ ଅତି ଜଘନ୍ୟ ଭାବେ ତଣ୍ଟିକାଟି ହତ୍ୟା କରିଥିବା ସୁନ୍ଦରପଦା କେଳାବସ୍ତିର ଅଭିଯୁକ୍ତ ଘନିଆ ଦାସ(୨୩)କୁ ଆଜି ଏୟାର୍‌ଫିଲ୍ଡ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ଘଟଣା ପରେ ପରେ ବସ୍ତି ଲୋକଙ୍କ ହାବୁଡ଼ରୁ ଦୌଡ଼ି ପଳାଇଥିବା ଘନିଆକୁ ପୁଲିସ ଜଗତସିଂହପୁର ରାହାମାରୁ ତା’ର ଜଣେ ସମ୍ପର୍କୀୟଙ୍କ ଘରୁ ଠାବ କରିବାରେ ସଫଳ ହୋଇଛି। ଚେନ୍ନାଇକୁ ଚମ୍ପଟ ମାରିବାଲାଗି ଯୋଜନା କରୁଥିବାବେଳେ ପୁଲିସ ତାକୁ ଧରିଛି। ନାବାଳିକାର ତଣ୍ଟି କାଟିବା ପାଇଁ ବ୍ୟବହାର କରିଥିବା ଛୁରିକୁ ତା’ଠାରୁ ଜବତ କରାଯାଇଛି। ଆଜି କୋର୍ଟରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।
ଗତ ୬ ତାରିଖ ସନ୍ଧ୍ୟାରେ ଘଟିଥିବା ଏହି ନାରକୀୟ କାଣ୍ଡ ରାଜଧାନୀରେ ତୀବ୍ର ଆଲୋଡନ ସୃଷ୍ଟି କରିଥିଲା। ଜଣେ ପିଶାଚ ପଡ଼ୋଶୀ ମା’ ଆଖି ଆଗରୁ ନାବାଳିକାକୁ ଡାକିନେଇ ଏହି ଲୋମହର୍ଷଣକାରୀ କାଣ୍ଡ ଭିଆଇଥିଲା। ପୁଲିସ ସୂଚନା ଅନୁଯାୟୀ, ଏୟାରଫିଲ୍‌ଡ ଥାନା ସୁନ୍ଦରପଦା ବିଦ୍ୟୁତ୍ କାର୍ଯ୍ୟାଳୟ ନିକଟ କେଳାବସ୍ତିରେ ରହୁଥିବା ଘନିଆ ଟ୍ରଲି ଚଳାଇ ଗୁଜରାଣ ମେଣ୍ଟାଉଥିଲା। ନାବାଳିକାର ପରିବାର ଘନିଆର ପଡ଼ୋଶୀ ଥିଲେ। ଘଟଣା ଦିନ ସନ୍ଧ୍ୟାବେଳେ ନାବାଳିକାର ମା’ ବାରଣ୍ଡାରେ ବସିଥିଲେ ଓ ନାବାଳିକାଟି ସେଠାରେ ଖେଳୁଥିଲା। ଏତିକିବେଳେ ଘନିଆ ଘରକୁ ଫେରୁଥିଲା। ସେ ନାବାଳିକାକୁ ଚକଲେଟ୍‌ ଦେବ ବୋଲି କହି ଘରକୁ ଡାକି ନେଇଥିଲା। ପଡ଼ୋଶୀ ହୋଇଥିବାରୁ ନାବାଳିକାଙ୍କ ମା’ ମନା କରିନଥିଲେ। କିନ୍ତୁ ନାବାଳିକା ଫେରିବାରେ ବିଳମ୍ବ ହେବାରୁ ମା’ ଘନିଆ ଘରକୁ ଯାଇଥିଲେ। ଘନିଆ ଘରର କବାଟ ବନ୍ଦଥିଲା ଏବଂ ଭିତରୁ କିଛି ଶବ୍ଦ ଶୁଭୁନଥିଲା। ସେ କବାଟ ବାଡ଼େଇ ଡାକିଲେ ମଧ୍ୟ ଭିତରୁ ଘନିଆ କିଛି ଜବାବ ଦେଇନଥିଲା। ତେଣୁ ମନରେ ଆଶଙ୍କା କରି ନାବାଳିକାଙ୍କ ମା’ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ପଡ଼ୋଶୀମାନେ ଏକାଠି ହୋଇ ଘନିଆ ଘରକୁ ଚାରିପଟୁ ଘେରିବା ବେଳେ ସେ ବାଡ଼ିପଡ଼ କବାଟ ଖୋଲି ଦୌଡ଼ିଥିଲା ଏବଂ ନିକଟସ୍ଥ ଆବର୍ଜନା ଗଦା ଥିବା ପଡ଼ିଆର ପାଚେରି ଡେଇଁ ଅନ୍ଧାରରେ ଫେରାର ହୋଇଯାଇଥିଲା। ପଡ଼ୋଶୀମାନେ ତା’ ଘର ଭିତରକୁ ପଶି ଦେଖିବା ବେଳକୁ ନାବାଳିକାର ତଣ୍ଟି କଟା ହୋଇଥିଲା ଏବଂ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହଟି ଏକ ବେଡ୍‌ସିଟ୍‌ରେ ଗୁଡ଼ାଇହୋଇ ଚଟାଣରେ ପଡ଼ିଥିଲା। ମାମଲା ରୁଜୁ ପରେ ଘନିଆକୁ ଧରିବା ପାଇଁ ସ୍ପେସାଲ୍‌ ସ୍କ୍ବାଡ୍‌ ସହ ଏୟାର୍‌ଫିଲ୍‌ଡ ଥାନାର ଏକ ଟିମ୍‌ ଲାଗିପଡ଼ିଥିଲା।

ad-week
Leave A Reply

Your email address will not be published.