ଏଥର ଦୀପାବଳିରେ ଘାଟାରେ ରହିବ ଚୀନ୍…

add-all

fshsffhfhffhfh-750x430

ନୂଆଦିଲ୍ଲୀ/ଭୁବନେଶ୍ବର: ଚଳିତ ବର୍ଷ ଦୀପାବଳିରେ ଲୋକମାନେ ସ୍ଥାନୀୟ ସାମଗ୍ରୀ କିଣିବା ଉପରେ ମନୋନିବେଶ କରିଥିବାରୁ ଚୀନ୍‌ ବଡ଼ ଧରଣର କ୍ଷତି ସହିବ। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଆକଳନ ଅନୁସାରେ ଏଥର ଚୀନ୍‌ ତିଆରି ସାମଗ୍ରୀ ବିଶେଷ ବିକ୍ରି ହେବ ନାହିଁ। ଫଳରେ ଚୀନ୍‌ ପ୍ରାୟ ଲକ୍ଷେ କୋଟି ଟଙ୍କାର କ୍ଷତି ସହିବ। ଓଡ଼ିଶାରେ ଚୀନ ତିଆରି ଲିଚୁଲାଇଟ୍‌ ଅଧିକ ମାତ୍ରାରେ ବିକ୍ରି ହୁଏ। ବଜାରରେ ବହୁ ପରିମାଣରେ ସେଭଳି ଲାଇଟ୍‌ ରହିଛି। ଦୀପାବଳିରେ ରାଜ୍ୟରେ ୫୦୦୦ ‌କୋଟି ଟଙ୍କାରୁ ଅଧିକ କାରବାର ହୋଇଥାଏ। ସେଥିରୁ ପ୍ରାୟ ୩୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଚୀନ୍ ସାମଗ୍ରୀ ବିକ୍ରି ହୁଏ। ଏଥର ଓଡ଼ିଶାରେ ଚୀନ୍ ୩୦୦୦ କୋଟି ଟଙ୍କା ହରାଇବ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ ଚୀନ୍‌ ଉପରେ ଆର୍ଥିକ ସ୍ତରରେ ଚାପ ସୃଷ୍ଟି କରିବା ଓ ସ୍ଥାନୀୟ ଶିଳ୍ପକୁ ସମୃଦ୍ଧ କରିବା ଲାଗି ପ୍ରଧା‌ନମନ୍ତ୍ରୀ ଭୋକାଲ ଫର ଲୋକାଲ ଆହ୍ବାନ ଦେଇଛନ୍ତି। ଏହାର ପ୍ରଭାବରେ ଚୀନ୍‌ ସାମଗ୍ରୀ ବିକ୍ରି ହ୍ରାସ ପାଉଛି। ଲୋକମାନେ ଦେଶ ଭିତରେ ତିଆରି ଜିନିଷ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। ମଦୁରାଇର ବାଣ ବଜାରରେ ପୂର୍ବରୁ ୩ ଲକ୍ଷ ଲୋକ ନିଯୁକ୍ତି ପାଇଥିଲେ। ଚୀନ୍ ସାମଗ୍ରୀ ପ୍ରବେଶ ପରେ ପ୍ରାୟ ୨ ଲକ୍ଷ ଲୋକ ବେକାର ହୋଇଯାଇଥିଲେ। ଯଦି ଲୋକମାନେ ଚୀନ ସାମଗ୍ରୀ ବର୍ଜନ କରି ମଦୁରାଇ ବାଣ କିଣିବେ ତେବେ ସେହି ଶିଳ୍ପ ପୁଣି ଥରେ ସମୃଦ୍ଧ ହେବ। ସେହିପରି ଖେଳଣା ବଜାରରେ ଚୀନ୍‌ର ଯେଉଁ ଆଧିପତ୍ୟ ରହିଛି ତାହା ଦୂର କରିବା ଦିଗରେ ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି ବୋଲି ସେ କହିଛନ୍ତି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ସଭାପତି ବିସି ଭର୍ତିଆ ଓ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳିରେ ଆମେ ଭୋକାଲ ଫର ଲୋକାଲକୁ ପୂର୍ଣ୍ଣ ସମର୍ଥନ କରୁଛୁ। ମହିଳାମାନେ ବିକ୍ରି କରୁଥିବା ଜିନିଷ କିଣିବା ଲାଗି ଆମେ ଲୋକମାନଙ୍କୁ ଆହ୍ବାନ ଦେଉଛୁ।

ad-week
Leave A Reply

Your email address will not be published.