ଦକ୍ଷିଣ କୋରିଆରେ ଅଘଟଣ: ଯାଞ୍ଚକର୍ତ୍ତାଙ୍କ ଜୀବନ ନେଇଗଲା ରୋବଟ୍‌

sfshfshfsfh-750x430

ସିଓଲ: ଦକ୍ଷିଣ କୋରିଆରେ ଏକ ରୋବଟ୍‌ ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ମେସିନ୍ ତାଙ୍କୁ ଏକ ପରିବା ବାକ୍ସ ବୋଲି ଭାବିଥିଲା, ଯାହାର ପରିଚାଳନାରେ ଏହା ନିୟୋଜିତ ଥିଲା। ୪୦ ବର୍ଷ ବୟସ୍କ ରୋବଟିକ୍ସ କମ୍ପାନିର କର୍ମଚାରୀ ଜଣକ ଦକ୍ଷିଣ ଗ୍ୟୋଙ୍ଗସାଙ୍ଗ ପ୍ରଦେଶରେ କୃଷିଜାତ ଦ୍ରବ୍ୟର ବିତରଣ କେନ୍ଦ୍ରରେ କାମ କରୁଥିଲେ। ଇଣ୍ଡଷ୍ଟ୍ରିଆଲ ରୋବଟ୍‌ଟି ଗୋଲମରିଚ ଭର୍ତ୍ତି ବାକ୍ସ ଉଠାଇ ଏକ ପାଲେଟ୍ ଉପରେ ରଖୁଥିଲା। ଏହା ଠିକ୍‌ଭାବେ କାମ କରୁ ନ ଥିବାରୁ ଉକ୍ତ ବ୍ୟକ୍ତିଙ୍କୁ ଏକ ଗୋଲମରିଚ ବାକ୍ସ ଭାବିଥିଲା।

ଏହାପରେ ରୋବଟ୍ ହାତଟି ତାଙ୍କ ଉପର ଶରୀରକୁ କନଭେୟର ବେଲ୍ଟକୁ ଠେଲି ଦେଇ ତାଙ୍କ ମୁହଁ ଓ ଛାତିକୁ ଚାପି ଦେଇଥିଲା। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ହେଁ ପରେ ତାଙ୍କର ମୃତ୍ୟୁ ଘଟିଥିଲା। ବ୍ୟକ୍ତି ଜଣକ ଗୋଲମରିଚ ସର୍ଟିଂ ପ୍ଲାଣ୍ଟରେ ପରୀକ୍ଷଣ ପୂର୍ବରୁ ରୋବଟ୍‌ର ସେନସର ଯାଞ୍ଚ କରୁଥିଲେ। ଦୁଇ ଦିନ ତଳେ ରୋବଟ୍ ସେନସରରେ ଦେଖିବାକୁ ମିଳିଥିବା ସମସ୍ୟା ଯାଞ୍ଚ କରିବାକୁ ତାଙ୍କୁ ଡକାଯାଇଥିଲା। ଚଳିତ ବର୍ଷ ଦକ୍ଷିଣ କୋରିଆରେ ଏହା ଦ୍ବିତୀୟ ଘଟଣା। ଗତ ମାର୍ଚ୍ଚ ମାସରେ ଜଣେ ୫୦ ବର୍ଷୀୟ ଦକ୍ଷିଣ କୋରିଆ ବ୍ୟକ୍ତି ଏକ ଅଟୋମୋବାଇଲ ପାର୍ଟସ୍ ଉତ୍ପାଦନ କାରଖାନାରେ କାମ କରୁଥିବା ବେଳେ ରୋବଟ୍ ଦ୍ୱାରା ଫସି ଯାଇ ଗୁରୁତର ଆହତ ହୋଇଥିଲେ।

ad-week
Leave A Reply

Your email address will not be published.