‘ୟୁନିଫର୍ମ ସିଭିଲ କୋଡ’ ଲାଗୁ କରିବାରେ ପ୍ରଥମ ରାଜ୍ୟ ବନିବ ଉତ୍ତରାଖଣ୍ଡ…

add-all

ucc

ଖୁବ୍ ଶୀଘ୍ର ଉତ୍ତରାଖଣ୍ଡରେ ଲାଗୁ ହେବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ(UCC) ବା ଏକକ ନାଗରିକ ସଂହିତା। ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ସରକାର ଏହି ଆଇନ ଆଣିବାକୁ ଯାଉଛନ୍ତି। ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଉତ୍ତରାଖଣ୍ଡ ୟୁସିସି ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇପାରେ।

ସୂତ୍ରରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଆଗାମୀ ଦୁଇ ଦିନ ମଧ୍ୟରେ ଅବସରପ୍ରାପ୍ତ ଜଷ୍ଟିସ ରଞ୍ଜନ ଦେଶାଇଙ୍କ ନେତୃତ୍ୱରେ ଗଠିତ କମିଟି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଭେଟି ଏକ ରିପୋର୍ଟ ଦାଖଲ କରିବେ। ଦୀପାବଳି ସରିବାର ଗୋଟିଏ ସପ୍ତାହ ପରେ ଉତ୍ତରାଖଣ୍ଡରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡକାଯିବ। ସ୍ୱତନ୍ତ୍ର ଅଧିବେଶନରେ ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍ ପାରିତ ହେବ ଏବଂ ଏହାକୁ ଆଇନଗତ ମାନ୍ୟତା ଦିଆଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

ଚଳିତ ବର୍ଷ ଜୁନରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ଡ୍ରାଫ୍ଟ କମିଟିର ସଦସ୍ୟ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ଜଷ୍ଟିସ ରଂଜନ ପ୍ରକାଶ ଦେଶାଇ କହିଛନ୍ତି ଯେ, ଉତ୍ତରାଖଣ୍ଡ ପାଇଁ ୟୁନିଫର୍ମ ସିଭିଲ କୋଡର ଡ୍ରାଫ୍ଟ ଶେଷ ହୋଇଛି ଏବଂ ଏହାକୁ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ନିକଟରେ ଦାଖଲ କରାଯିବ।

ଜଷ୍ଟିସ ଦେଶାଇ କହିଛନ୍ତି, ଉତ୍ତରାଖଣ୍ଡ ପାଇଁ ୟୁସିସି ଡ୍ରାଫ୍ଟ ଶେଷ ହୋଇଥିବା ସୂଚନା ଦେଇ ମୁଁ ଖୁବ୍ ଖୁସି ଅନୁଭବ କରୁଛି। ଆଗକୁ ଡ୍ରାଫ୍ଟ ସହିତ ବିଶେଷଜ୍ଞ କମିଟିର ରିପୋର୍ଟ ମୁଦ୍ରଣ କରାଯାଇ ଉତ୍ତରାଖଣ୍ଡ ସରକାରଙ୍କ ନିକଟରେ ଦାଖଲ କରାଯିବ।

ଏଥିସହ ସୂତ୍ର ଏହା ମଧ୍ୟ କହିଛି ଯେ, ଉତ୍ତରାଖଣ୍ଡର ପଦାଙ୍କ ଅନୁସରଣ କରି ଗୁଜରାଟ ମଧ୍ୟ 2024 ଲୋକସଭା ନିର୍ବାଚନ ପୂର୍ବରୁ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରିପାରେ। ଏହି ପଦକ୍ଷେପ ସହିତ ଗୁଜୁରାଟ ୟୁନିଫର୍ମ ସିଭିଲ କୋଡ କାର୍ଯ୍ୟକାରୀ କରିବାରେ ଦ୍ୱିତୀୟ ରାଜ୍ୟ ହେବ।

ad-week
Leave A Reply

Your email address will not be published.