‘ଓବେରୟ ଗ୍ରୁପ୍‌’ ମାଲିକ ପୃଥ୍ୱୀରାଜ ସିଂହ ଓବେରୟଙ୍କ ଦେହାନ୍ତ…

IMAGE_1699946528

ନୂଆଦିଲ୍ଲୀ : ଆଉ ନାହାନ୍ତି ‘ଓବେରୟ ଗ୍ରୁପ୍‌’ର ଅଧ୍ୟକ୍ଷ ପୃଥ୍ୱୀରାଜ ସିଂହ ଓବେରୟ। ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଛି। ସେ ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭାରତୀୟ ହୋଟେଲ୍‌ ଶିଳ୍ପର ଜନକ ଭାବେ ସୁପରିଚିତ ପିଆର୍‌ଏସ୍‌ ଓବେରୟଙ୍କ ମୃତ୍ୟୁ ସଂକ୍ରାନ୍ତରେ ‘ଓବେରୟ ଗ୍ରୁପ୍‌’ ପକ୍ଷରୁ ସୂଚନା ମିଳିଛି। ଅପରାହ୍ଣ ୪ଟା ବେଳେ କାପଶେରା ଅନ୍ତର୍ଗତ ‘ଓବେରୟ ଫାର୍ମ’ରେ ଥିବା ‘ଭଗୱନ୍ତି ଓବେରୟ ଚାରିଟେବଲ୍‌ ଟ୍ରଷ୍ଟ୍‌’ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।
ଅନ୍ତର୍ଦୃଷ୍ଟିସମ୍ପନ୍ନ ପି. ଆର୍‌. ଏସ୍‌. ଓବେରୟଙ୍କ ଅଦମ୍ୟ ନିଷ୍ଠା ଓ ଆଗ୍ରହ ଯୋଗୁଁ ‘ଦି ଓବେରୟ ଗ୍ରୁପ୍‌ ଓ ଆମ ହୋଟେଲ୍‌ ସବୁ’ ବିଶ୍ୱର ଉତ୍କୃଷ୍ଟ ହୋଟେଲ୍‌ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଦେଶ ଓ ବିଦେଶର ହୋଟେଲ୍‌ ଶିଳ୍ପକୁ ତାଙ୍କର ଏଭଳି ଉଦ୍ୟମ ଖୁବ୍‌ ପ୍ରଭାବିତ କରିଛି ବୋଲି ଜାରି କରାଯାଇଥିବା ବିବୃତିରେ ଉଲ୍ଲେଖ ଅଛି।
୧୯୨୯ରେ ଜନ୍ମିତ ପୃଥ୍ୱୀ ରାଜ ସିଂହ ଓବେରୟ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଲିଡର ଥିଲେ। ସେ ଓବେରୟ ଗ୍ରୁପ୍‌ର ଫ୍ଲାଗସିପ କମ୍ପାନୀ ଇଆଇଏଚ୍‌ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ। ଏଥିସହ ଇଆଇଏଚ୍‌ ଲିମିଟେଡ୍‌ର ପ୍ରମୁଖ ଅଂଶୀଦାର ଓବେରୟ ହୋଟେଲ ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍‌ ମଧ୍ୟ ଥିଲେ। ୨୦୨୨ରେ ସେ ଇଆଇଏଚ୍‌ ଲିମିଟେଡର ଚେୟାରମ୍ୟାନ୍‌ ପଦରୁ ଇସ୍ତଫା ଦେଇଥିଲେ।
୨୦୦୮ରେ ପର୍ଯ୍ୟଟନ ଓ ହୋଟେଲ୍‌ ଶିଳ୍ପ ପ୍ରତି ଅସାଧାରଣ ଅବଦାନ ଲାଗି ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଯୁକ୍ତରାଷ୍ଟ୍ର ଆମେରିକା ପତ୍ରିକା ‘ହୋଟେଲ୍ସ’ ମଧ୍ୟ ତାଙ୍କୁ ‘କର୍ପୋରେଟ୍‌ ହୋଟେଲିୟର୍‌ ଅଫ୍‌ ଦି ୱାର୍ଲଡ୍‌’ ପୁରସ୍କାର ପ୍ରଦାନ କରିଥିଲା।

ad-week
Leave A Reply

Your email address will not be published.