ହସ୍ପିଟାଲରେ ପୋତା ହେଲା ୧୭୯ ଜଣଙ୍କ ଶବ…

add-all

Gaza_1699962657

ନୂଆଦିଲ୍ଲୀ : ଇସ୍ରାଏଲ ହମଲାରେ ଛିନଛତ୍ରରେ ହୋଇ ଯାଇଥିବା ଗାଜା ଷ୍ଟ୍ରିପରୁ ଆସିଛି ଛାତି ଥରାଇ ଦେବା ଭଳି ତଥ୍ୟ। ଗାଜାର ସବୁଠାରୁ ବଡ଼ ହସ୍ପିଟାଲରେ ଏକାଠି ପୋତା ହୋଇଛି ୧୭୯ ଜଣଙ୍କ ମୃତଦେହ। ଏମାନଙ୍କ ମଧ୍ୟରେ ଅନେକ ଛୋଟ ପିଲା ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ଅଲ ଶିଫା ହସ୍ପିଟାଲ ପରିସରରେ ହିଁ କବର ଦିଆଯାଇଛି। ହସ୍ପିଟାଲର ମୁଖ୍ୟ ମହମ୍ମଦ ଅବୁ ସଲମିୟା ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ତାଙ୍କ ତଥ୍ୟ ଗାଜାରେ ସୃଷ୍ଟି ହୋଇଥିବା ଭୟଙ୍କର ମାନବୀୟ ସଙ୍କଟର ସତ ସମଗ୍ର ବିଶ୍ୱ ଆଗକୁ ଆସିଛି। ଇସ୍ରାଏଲ ସେନା ଘନଘନ ଆକ୍ରମଣ କରୁଥିବାରୁ ସ୍ଥିତି ଭୟଙ୍କର ହୋଇପଡ଼ିଛି। ଜରୁରୀ ଚିକିତ୍ସା ଅଭାବରୁ ଏବେ ହସ୍ପିଟାଲରେ ରୋଗୀମାନେ ପ୍ରାଣ ହରାଉଛନ୍ତି।
ମୃତ୍ୟୁ ପରେ ମଧ୍ୟ ସେମାନଙ୍କୁ କବରସ୍ତାନକୁ ନିଆଯାଇ ପାରୁନି। ବାହାରେ ଗୁଳିଗୋଳ ମାଡ଼ ହେଉଥିବାରୁ ହସ୍ପିଟାଲ ପରିସରରେ ହିଁ ସେମାନଙ୍କୁ କବର ଦେବାକୁ କର୍ମଚାରୀମାନେ ବାଧ୍ୟ ହୋଇଛନ୍ତି।
ହସ୍ପିଟାଲରେ ଆବଶ୍ୟକ ଉପକରଣ ନାହିଁ। ବିନା ବିଜୁଳି ଓ ପାଣିରେ ହସ୍ପିଟାଲରେ ଲୋକମାନେ ରହିଛନ୍ତି। ହସ୍ପିଟାଲକୁ ଯୋଗାଣ ହେଉଥିବା ତେଲ ଶେଷ ହୋଇଯିବାରୁ ଆଇସିୟୁରେ ଥିବା ୭ ଜଣ ଛୋଟ ଛୁଆ ଓ ୨୯ ଜଣ ରୋଗୀ ପ୍ରାଣ ହରାଇଛନ୍ତି। ସେମାନଙ୍କୁ ଅନ୍ୟମାନଙ୍କ ସହ ହସ୍ପିଟାଲ ପରିସରରେ ପୋତି ଦିଆଯାଇଛି। ଏବେ ହସ୍ପିଟାଲରେ ଆଉ ବିଜୁଳି ସଂଯୋଗର କୌଣସି ବ୍ୟବସ୍ଥା ନାହିଁ ବୋଲି ମହମ୍ମଦ ଅବୁ ସଲମିୟା ସୂଚନା ଦେଇଛନ୍ତି।
ଗାଜାରେ ଇସ୍ରାଏଲ ଚଳାଇଥିବା ଦମନଲୀଳାର ରିପୋର୍ଟିଂ କରୁଥିବା ଜଣେ ସାମ୍ବାଦିକଙ୍କ କହିବା କଥା ଯେ ଚାରିଆଡ଼େ କେବଳ ଶବ ହିଁ ଶବ। ଇସ୍ରାଏଲ ଗାଜାରେ ଅମାନବୀୟ କାଣ୍ଡ ଘଟାଇ ଚାଲିଛି। ହସ୍ପିଟାଲରେ ବିଜୁଳି, ପାଣି କିମ୍ବା ଖାଦ୍ୟ କିଛି ନାହିଁ।
ଗତ ସପ୍ତାହରେ ଗାଜାର ସବୁ ଠାରୁ ବଡ଼ ହସ୍ପିଟାଲ ଅଲ ଶିଫା ୭୨ ଘଣ୍ଟା ପାଇଁ ପୂରା ବିଶ୍ୱରୁ ବିଚ୍ଛିନ୍ନ ହୋଇଯାଇଥିଲା। କାରଣ ହସ୍ପିଟାଲକୁ ସଂଯୋଗ କରୁଥିବା ରାସ୍ତାକୁ ଇସ୍ରାଏଲ ସେନା ବନ୍ଦ କରି ଦେଇଥିଲା। ହସ୍ପିଟାଲର ପ୍ରଣ୍ଟ ଗେଟ୍ ସାମ୍ନାରେ ଟ୍ୟାଙ୍କ ରଖାଯାଇ ଯାଇଥିଲା। ହସ୍ପିଟାଲକୁ ହମାସ ସଦସ୍ୟମାନେ ନିଜର ମୁଖ୍ୟାଳୟ ଭାବେ ବ୍ୟବହାର କରୁଛନ୍ତି। ଖାଲି ସେତିକି ନୁହେଁ, ହମାସ ହସ୍ପିଟାଲ ଓ ସେଠାକାର ରୋଗୀଙ୍କୁ ଢାଲ କରି ଇସ୍ରାଏଲ ସହ ଯୁଦ୍ଧ କରୁଥିବା ତେଲ ଅଭିଭ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏହାକୁ ହମାସ ଓ ଗାଜାର ସ୍ୱାସ୍ଥ୍ୟ ଅଧିକାରୀମାନେ ଖଣ୍ଡନ କରିଛନ୍ତି।
ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଯୋଗୁ ହସ୍ପିଟାଲ ବାହାରକୁ କେହି ଆସି ପାରୁ ନାହାନ୍ତି। ସେହିପରି ହସ୍ପିଟାଲକୁ ସବୁ ପ୍ରକାରର ଜରୁରୀ ସାମଗ୍ରୀ ଯୋଗାଣ ମଧ୍ୟ ବନ୍ଦ ହୋଇଯାଇଛି। ଏଥିଯୋଗୁ ହଜାର ହଜାର ରୋଗୀଙ୍କ ଜୀବନ ଏବେ ବିପଦରେ ପଡ଼ିଛି।
ଜାତିସଂଘ ଆକଳନ କରିଛି ଯେ ଭୟଙ୍କର ଯୁଦ୍ଧ ଯୋଗୁ ଅଲ ଶିଫା ହସ୍ପିଟାଲରେ ରୋଗୀ, କର୍ମଚାରୀ ଓ ସାଧାରଣ ଲୋକଙ୍କୁ ମିଶାଇ ପ୍ରାୟ ୧୦ ହଜାର ଲୋକ ଫସି ରହିଛନ୍ତି। କେବଳ ଅଲ ଶିଫା ନୁହେଁ, ଅଲ କ୍ୟୁଡସ ମଧ୍ୟ ସପ୍ତାହ ହେଲା ପୂରା ବିଶ୍ୱ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲା।
ଏବେ ଗାଜାର ସବୁ ହସ୍ପିଟାଲରେ ମେଡିକାଲ ଉପକରଣର ଅଭାବ ଦେଖିବାକୁ ମିଳିଛି। ତେଣୁ ସବୁ ଆଡ଼େ ଛୋଟ ଛୁଆଙ୍କ ସମେତ ଗୁରୁତର ରୋଗୀମାନେ ପ୍ରାଣ ହରାଇବା ଆରମ୍ଭ କରିଛନ୍ତି।

ad-week
Leave A Reply

Your email address will not be published.