ମଣିପୁର ସରକାର ଘୋଷଣା କଲେ ‘ସ୍ଥାୟୀ ଆବାସ ଯୋଜନା’

add-all

manipur-1

ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର କ୍ଷତିଗ୍ରସ୍ତ ହୋଇଥିଲା, ସେମାନେ ଏହି ଆବାସ ଯୋଜନାରୁ ଲାଭ ପାଇବେ।

ହିଂସାରେ ମଣିପୁର ଘାଟି ଏବଂ ପାହାଡ଼ିଆ ଅଞ୍ଚଳରେ ପାଖାପାଖି ୪,୮୦୦ରୁ ୫,୦୦୦ ଘର କ୍ଷତିଗ୍ରସ୍ତ ହୋଇଛି। ଅଲ୍‌ ଟ୍ରାଇବାଲ୍‌ ଷ୍ଟୁଡେଣ୍ଟସ୍‌ ୟୁନିୟନ ମଣିପୁର (ATSUM) ଦ୍ୱାରା ଆୟୋଜିତ ଜନଜାତି ଏକତା ପଦଯାତ୍ରା ବେଳେ ହିଂସା ଆରମ୍ଭ ହୋଇଥିଲା।

ଅଣ-ଆଦିବାସୀ ମେତେଇ ଏବଂ ଆଦିବାସୀ କୁକି-ଜୋମି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ସଂଘର୍ଷରେ ଅନେକ ଧନଜୀବନ ହାନି ହୋଇଛି। ଏହି ଯୋଜନାର କାର୍ଯ୍ୟକାରିତା ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରମାଣିତ ଆବଶ୍ୟକ ମୂଲ୍ୟାଙ୍କନ ଆଧାରରେ କରାଯିବ।

ଯେଉଁମାନଙ୍କର ପକ୍କା ଘର ଜଳିଯାଇଛି, ସେହି ପରିବାରକୁ ସ୍ଥାୟୀ ଆବାସ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅର୍ଦ୍ଧ ସ୍ଥାୟୀ ଘର ପୋଡ଼ିଥିଲେ କିମ୍ବା ନଷ୍ଟ ହୋଇଥିଲେ, ପରିବାରକୁ ୭ ଲକ୍ଷ ଟଙ୍କା ଦିଆଯିବ। ଏହିପରି କଚ୍ଚାଘର ବା ଅସ୍ଥାୟୀ ଘର କ୍ଷତିଗ୍ରସ୍ତ ହୋଇଥିଲେ, ପୀଡ଼ିତ ପରିବାର ୫ ଲକ୍ଷ ଟଙ୍କା ପାଇବେ। ଆଂଶିକ କ୍ଷତିଗ୍ରସ୍ତ କିମ୍ବା ପୋଡିଯାଇଥିବା ଘରଗୁଡିକର ମରାମତି ପାଇଁ ପ୍ୟାକେଜ୍ ରାଶିର ୫୦ ପ୍ରତିଶତ (ପକ୍କା/ ଅର୍ଦ୍ଧ-ପକ୍କା/ କଚ୍ଚା ଘର) ହିଂସା ପ୍ରଭାବିତ ପରିବାରକୁ ବଣ୍ଟନ କରାଯିବ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ନିକଟରେ କହିଥିଲେ ଯେ ବିସ୍ଥାପିତ ଲୋକଙ୍କ ଅସ୍ଥାୟୀ ପୁନର୍ବାସ ପାଇଁ ୧୪୯ କୋଟି ଟଙ୍କା ବ୍ୟୟରେ ଗୃହ ନିର୍ମାଣ କରାଯାଉଛି। ରାଜ୍ୟରେ ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସ୍ଥାୟୀ ଘର ତିଆରି କରାଯିବ।

ad-week
Leave A Reply

Your email address will not be published.