ପଞ୍ଚୁକ ପାଞ୍ଚ ଦିନ ବଡ଼ଦାଣ୍ଡରେ ଉଠା ଦୋକାନ ବନ୍ଦ…

add-all

puri

ପୁରୀ : ପଞ୍ଚୁକ ପାଞ୍ଚ ଦିନ ପୁରୀ ବଡ଼ଦାଣ୍ଡରେ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଉଠାଦୋକାନ ବନ୍ଦ ରହିବ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।
ଜିଲ୍ଲାପାଳ କହିଛନ୍ତି, ଭକ୍ତଙ୍କ ପାଇଁ ଯେଉଁ ସବୁ ସୁବିଧା ଯୋଗାଇ ଦିଆଯିବା କଥା, ତାକୁ ପଞ୍ଚୁକ ସମୟରେ ଆହୁରି ଅଧିକ କରାଯିବାକୁ ବ୍ୟବସ୍ଥା ହୋଇଛି। ପଞ୍ଚୁକ ପାଇଁ ମରଚିକୋଟ ପର୍ଯ୍ୟନ୍ତ ଶେଡ୍‌ କରାଯିବ। ପାନୀୟ ଜଳ ପଏଣ୍ଟ ସଂଖ୍ୟା ବୃଦ୍ଧି କରାଯିବ। ଆସନ୍ତାକାଲି ସୁଦ୍ଧା ଆଉ ଏକ ଶୌଚାଳୟ ବ୍ୟବସ୍ଥା ହୋଇଯିବ। ଗହଳି ନିୟନ୍ତ୍ରଣ ପାଇଁ ସ୍ୱେଚ୍ଛାସେବୀଙ୍କ ସଂଖ୍ୟା ବୃଦ୍ଧି କରାଯିବ।
ଜିଲ୍ଲାପାଳ କହିଛନ୍ତି ପଞ୍ଚୁକ ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି କେମିତି ଠିକ୍ ସମୟରେ ସମାପନ ହେବ ସେ ଦିଗରେ ଗୁରୁତ୍ୱ ଦିଆଯାଉଛି। ଏନେଇ ଗତକାଲି ଏକ ବୈଠକ ବସିଥିଲା। ଆଜି ମଧ୍ୟ ଏକ ବୈଠକ ବସିବ। ନୀତିକାନ୍ତି ଠିକ୍ ସମୟରେ ହେଲେ ଅଧିକରୁ ଅଧିକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ପୁରୀରେ ଏବେ ବହୁ ଭକ୍ତଙ୍କ ଭିଡ଼ ଜମୁଛି। ଧାଡ଼ିରେ ଦୀର୍ଘ ସମୟ ଛିଡ଼ା ହୋଇ ଲୋକେ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି। କେହି କେହି ଅସୁସ୍ଥ ମଧ୍ୟ ହୋଇପଡ଼ୁଛନ୍ତି। ଗତକାଲି ଜଣେ ବୃଦ୍ଧା ଧାଡ଼ିରେ ୫ ଘଣ୍ଟା ଛିଡ଼ା ହେବା ପରେ ଥକି ଯାଇ ତାଙ୍କୁ ସେଠାରୁ ଉଦ୍ଧାର କରିବାକୁ କହିଥିଲେ। ଏଭଳି ଦୃଶ୍ୟ ଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ରଞ୍ଜନ କୁମାର ଦାସ ବୟସାଧିକ ଓ ରୋଗାକ୍ରାନ୍ତ ଲୋକଙ୍କୁ ପୁରୀ ନ ଆସିବାକୁ ଅନୁରୋଧ କରିଥିଲେ। ତେବେ ଏହାକୁ ନେଇ ବିବାଦ ଦେଖାଯାଇଛି। ଭକ୍ତଙ୍କ ପାଇଁ ସଠିକ୍ ବ୍ୟବସ୍ଥା ନ କରି ଏଭଳି ଅନୁରୋଧ କରିବା ଗ୍ରହଣୀୟ ନୁହେଁ ବୋଲି କୁହାଯାଉଛି।
କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ କହିଛନ୍ତି, କାର୍ତ୍ତିକ ମାସରେ ପୁରୀକୁ ଦେଶର ବିଭିନ୍ନ ପ୍ରାନ୍ତ ତଥା ବିଦେଶରୁ ଲୋକ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି। ଠାକୁରଙ୍କ ଦର୍ଶନ କରିବା ଆମର ଧାର୍ମିକ ଓ ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଅଧିକାର। ଏହା ଉପରେ କଟକଣା ଲାଗୁ କରିବା ଆଇନ ବିରୋଧୀ। ଏକଚାଟିଆ ଭାବେ ସରକାର ଯେଉଁ କଟକଣା ଜାରି କରିଛନ୍ତି, ତାହାଦ୍ୱାରା କେବଳ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରୀ ଛିଡ଼ା କରିଛନ୍ତି । ଏହା ଆମ ସାମ୍ବିଧାନିକ ଅଧିକାରକୁ ଉଲ୍ଲଘଂନ କରୁଛନ୍ତି।

ad-week
Leave A Reply

Your email address will not be published.