ବର୍ଷା ଅଭାବ : ଧାନକ୍ଷେତରେ ଗୋରୁ ଛାଡ଼ିଲେ ଚାଷୀ…

youtube

Ganjam_1700576015

ଗଞ୍ଜାମ : ଧୋକା ଦେଲା ବର୍ଷା। ଶୁଖିଗଲା ଧାନ କ୍ଷେତ। ବୋରୱେଲ୍‌ ମରାମତି ହୋଇନଥିବାରୁ କ୍ଷେତକୁ ପାଣି ମଡ଼ାଇ ପାରିଲେନି ଚାଷୀ। କିଛି ଉପାୟ ନପାଇ କ୍ଷେତରେ ଗୋରୁ ଗାଈ ଛାଡ଼ିଦେଲେ ଚାଷୀ। ମରୁଡ଼ିର ଏପରି ଚିତ୍ର ଆସିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ। ଚାଷ ଜମିରେ ଗୋରୁ ଛାଡ଼ି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଚାଷୀ।
ଖଲ୍ଲିକୋଟ ବ୍ଲକ୍‌ ଚିକିଲି ପଞ୍ଚାୟତ। ଚଳିତବର୍ଷ ଏହି ପଞ୍ଚାୟତର ଶତାଧିକ ଚାଷୀ ଧାନ ଚାଷ କରିଥିଲେ। ବିଳମ୍ୱ ହେଲେ ମଧ୍ୟ ଧାର ଉଧାର କରି ଧାନ ଚାଷ କରିଥିଲେ ଚାଷୀ। ଭଲ ଅମଳ ହେବ ବୋଲି ଭାବିଥିଲେ। ହେଲେ ଅମଳ ବେଳେ ଧୋକା ଦେଲେ ଇନ୍ଦ୍ର ଦେବତା! ବର୍ଷା ହେଲାନି। ଯେଉଁଥିପାଇଁ ମରିଗଲା ଧାନଗଛ। ଶୁଖିଗଲାଣି ଧାନ କେଣ୍ଡା। ଧାନ ଭିତରେ କ୍ଷୀର ଶୁଖିଗଲାଣି। ଯେଉଁ ସମୟରେ ସୁନାର ଫସଲ ଚହଟିବା କଥା, ସେହି ସମୟରେ ଧାନଗଛ ମରି ପଡ଼ିଛି। ଖାଲି ଅଗାଡ଼ି। ଖଳାକୁ କିଛି ଆସି ପାରିବ ନାହିଁ।
କ୍ଷେତରୁ କିଛି ପାଇବା ଆଶା କରିପାରୁନି ଚାଷୀ ବିଚରା। ତେଣୁ କାହିଁକି କ୍ଷେତକୁ ଯିବ? ସବୁଠାରୁ ଦୁଃଖର ବିଷୟ ଆଜକୁ ୫ ବର୍ଷ ତଳେ ସେହି ଅଞ୍ଚଳରେ ଦୁଇଟି ବୋରୱେଲ୍‌ ଖୋଳା ଯାଇଥିଲା। ଦୁଇ ବର୍ଷ ଧରି ଚାଷୀଙ୍କୁ ପାଣି ଯୋଗାଇ ଦିଆଯାଇଥିଲା। ହେଲେ ଗତ ୩ ବର୍ଷ ହେଲା ବୋରୱେଲ୍‌ ମୋଟର ଅଚଳ ହୋଇଯାଇଛି। ଏନେଇ ଚାଷୀମାନେ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ହେଲେ କେହି ଶୁଣିଲେ ନାହିଁ। ଆଜି ପର୍ଯ୍ୟନ୍ତ ମରାମତି କରାଗଲାନି। ଯେଉଁଥିପାଇଁ ଆଜି ଚାଷୀଙ୍କ ଝାଳ ବୁହା ପରିଶ୍ରମ ମାଟିରେ ଲୋଟିଛି।
କିଛି ଉପାୟ ନପାଇ ଚାଷୀମାନେ ଆଜି ଧାନ କ୍ଷେତରେ ଗୋରୁ ଛାଡ଼ି ଦେଇଛନ୍ତି। ଗୋରୁ ଗାଈମାନେ ଶୁଖିଲା ଧାନ କ୍ଷେତର ଚରୁଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଚାଷୀ।
ଚାଷୀ ସୀମା ଖୁଣ୍ଟିଆ କହିଛନ୍ତି, ୭ରୁ ୮ ଭରଣ ଜମିରେ ଚାଷ କରିଥିଲି। ୫୦ ହଜାର ଟଙ୍କା ଋଣ କରି ଧାନ ଚାଷ କରିଥିଲି। ଭଲ ଅମଳ ହେବ ବୋଲି ଭାବିଥିଲି। ହେଲେ ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ସୃଷ୍ଟି ହେଲା। ବନ୍ଧରେ ପାଣି ନାହିଁ। ଚାଷ ଜମିକୁ ବଞ୍ଚାଇ ପାରିଲୁ ନାହିଁ। ଚାଷ ପୂରା ନଷ୍ଟ ହୋଇଗଲା। ଧାର ଉଧାର କେମିତି ସୁଝିବୁ? ପରିବାର କେମିତି ପ୍ରତିପୋଷଣ କରିବୁ? ଆମକୁ କିଛି ବାଟ ବୁଦ୍ଧି ଦେଖାଯାଉନି। ଆମ କଥା ସରକାର ନବୁଝିଲେ, ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେବୁ ବୋଲି କୋହଭରା କଣ୍ଠରେ କହିଛନ୍ତି ସୀମା ଖୁଣ୍ଟିଆ।
ଚିକିଲି ଗାଁର ରଘୁନାଥ ପଢିଆରୀ କହିଛନ୍ତି, ଋଣ କରି ୨୦ ଭରଣ ଜମିରେ ଧାନ ଚାଷ କରିଥିଲୁ। ହେଲେ ଦୁଇ ମାସ ହେଲା ବର୍ଷା ହେଲାନି। ଧାନ ଗଛ ମରିଗଲା। ଏବେ କେମିତି ପରିବାର ଭରଣ ପୋଷଣ କରୁବୁ, କିଛି ଜାଣିପାରୁନାହୁଁ ବୋଲି ପଢ଼ିଆରୀ କହିଛନ୍ତି।

Leave A Reply

Your email address will not be published.