ଚୀନ୍‌ ସ୍କୁଲରେ ବ୍ୟାପୁଛି ରହସ୍ୟଜନକ ନିମୋନିଆ…

add-all

ccp

ବେଜିଙ୍ଗ୍‌: ସମ୍ପ୍ରତି ଚୀନ୍‌ର ସ୍କୁଲ୍‌ଗୁଡ଼ିକରେ ଗୋଟାଏ ରହସ୍ୟଜନକ ନିମୋନିଆ ବ୍ୟାପିଥିବାରୁ ଡାକ୍ତରଖାନା ସବୁ ଏଥିରେ ଆକ୍ରାନ୍ତ ପିଲାମାନଙ୍କଦ୍ବାରା ଭରପୂର ହୋଇଯାଉଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ତାଇୱାନ୍‌ର ‘ଏଫ୍‌ଟିଭି ନିଉଜ୍‌’ ରିପୋର୍ଟ କରିଛି ଯେ, ବେଜିଙ୍ଗ୍‌ ଓ ଲିଆଓନିଙ୍ଗ୍‌ରେ ଥିବା ଡାକ୍ତରଖାନାକୁ ନିମୋନିଆଦ୍ବାରା ଆକ୍ରାନ୍ତ ହୋଇଥିବା ଅସଂଖ୍ୟ ପିଲା ଆସୁଛନ୍ତି।
ଏହି ‘ଅଜ୍ଞାତ ନିମୋନିଆ’ଦ୍ବାରା ଆକ୍ରାନ୍ତ ପିଲାମାନଙ୍କଠାରେ ଶ୍ବାସପ୍ରଶ୍ବାସଜନିତ ସମସ୍ୟା ଦେଖାଯାଉଛି। ସଂକ୍ରାମକ ରୋଗ ସଂକ୍ରମଣ ସଂକ୍ରାନ୍ତରେ ସମଗ୍ର ବିଶ୍ବରେ ଦୃଷ୍ଟି ରଖୁଥିବା ‘ପ୍ରୋମେଡ୍‌’ ନାମକ ସଙ୍ଗଠନ ଏଥିପାଇଁ ସତର୍କ ସୂଚନା ଜାରି କରିଛି। ଉଲ୍ଲେଖଯୋଗ୍ୟ, ଡିସେମ୍ବର ୨୦୧୯ରେ ‘ସାର୍ସ-କୋଭ୍‌-୨’ ବିଷୟରେ ମଧ୍ୟ ‘ପ୍ରୋମେଡ୍‌’ ସତର୍କ କରାଇଥିଲା।
‘ଏଫ୍‌ଟିଭି ନିଉଜ୍‌’କୁ ବେଜିଙ୍ଗ୍‌ର ଜଣେ ନାଗରିକ କହିଛନ୍ତି, ଅନେକ ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ କାଶୁ ନାହାନ୍ତି କି, ସେମାନଙ୍କଠରେ କୌଣସି ଲକ୍ଷଣ ଦେଖାଯାଉନାହିଁ। ଖାଲି ଭୀଷଣ ଜର ଆସୁଛି। ଫୁସ୍‌ଫୁସ୍‌ ଭିତରେ ଫଳିଗଲା ପରି ପରୀକ୍ଷାରୁ ଜଣାପଡ଼ିଛି।
ଇନ୍‌ଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଯାଉଥିବା ଏହି ରୋଗ ସଂକ୍ରମଣ, ବିଶେଷକରି ପିଲାମାନଙ୍କଠ‌ାରେ ଅଧିକ ଦେଖାଯାଉଥିବାରୁ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ ଚୀନ୍‌କୁ ଏ ବିଷୟରେ ଅଧିକ ତଥ୍ୟ ମାଗିଛି।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି, ‘ନ୍ୟାସ୍‌ନାଲ୍‌ ହେଲ୍‌ଥ୍‌ କମିସନ୍‌’ରୁ ଆସିଥିବା ଚୀନ୍‌ ସରକାରୀ କର୍ତ୍ତୃପକ୍ଷମାନେ ନଭେମ୍ବର ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଦେଶରେ ଏହି ଶ୍ବାସପ୍ରଶ୍ବାସଜନିତ ରୋଗ ସଂକ୍ରମଣ ବୃଦ୍ଧି ପାଉଥିବା କଥା ସୂଚନା ଦେଇଥିଲେ। କୋଭିଡ୍‌-୧୯ କଟକଣା ଉଠାଯାଇ ଦିଆଯିବାରୁ ଏହା ବ୍ୟାପିଥିବା କଥା ସେମାନେ କହିଥିଲେ। ସଂକ୍ରମଣ ହାର ହ୍ରାସ କରିବା ପାଇଁ କିଛି କଟକଣା ମାନି ଚଳିବା ଲାଗି ସେମାନେ ଦେଶବାସୀଙ୍କୁ କହିଛନ୍ତି।

ad-week
Leave A Reply

Your email address will not be published.