ବିଦ୍ୟୁତ ଟାୱାର ଉପରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ୧୩୨ କେଭି ତାର ସଂସ୍ପର୍ଶରେ ଆସି ଗଲା ଜୀବନ…

add-all

ଯାଜପୁର : ୧୩୨ କେଭି ବିଦ୍ୟୁତ ଟାୱାର ଉପରେ ଚାଲିଥିଲା ମୃତ୍ୟୁ ସହ ଖେଳ। ବହୁ ସମୟ ଧରି ଜଣେ ବ୍ୟକ୍ତି ଜଣକ ଟାୱାର ଉପରେ ଚଢି ପାଟିତୁଣ୍ଡ କରୁଥିଲେ । ତଳେ ଦେଖୁଥିବା ଲୋକେ ତାଙ୍କୁ ଓହ୍ଲାଇ ଆସିବାକୁ ବାରମ୍ବାର କହୁଥିଲେ । ନାଟକୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଗ୍ନିଶମ ବାହିନୀ ମଧ୍ୟ ପହଞ୍ଚି ଥିଲା ତାଙ୍କୁ ଉଦ୍ଧାର କରିବାକୁ । ହେଲେ ବିପଜ୍ଜନକ ସ୍ଥିତିରେ ସୂତାଖିଅରେ ଥିଲା ଜୀବନ । ଆଉ ଶେଷରେ ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାୟ ୬୦ଫୁଟ ତଳକୁ ଖସିପଡି ବ୍ୟକ୍ତିଙ୍କର ମୃତ୍ଯୁ ଘଟିଛି । ସମସ୍ତେ ଦେଖୁଥିଲେ କିନ୍ତୁ କେହି ବି ତାଙ୍କୁ ରକ୍ଷା କରି ପାରି ନଥିଲେ। ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରେ।

ମୃତ ବ୍ୟକ୍ତି ଜଣଙ୍କ ହେଲେ ସ୍ଥାନୀୟ ଘଡେଇ ସାହିର ବଇନ ଘଡେଇ। କୁହାଯାଉଛି କି ନିଶାସକ୍ତ ଅବସ୍ଥାରେ ଘର ପାଖରେ ଥିବା ୧୩୨ କେଭି ବିଦ୍ୟୁତ ଟାୱାର ଉପରକୁ ଚଢି ଯାଇଥିଲେ। ତାଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ସମସ୍ତେ ତାଙ୍କୁ ତଳକୁ ଓହ୍ଲାଇ ଆସିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବଇନ କାହା କଥା ନଶୁଣି ପିନ୍ଧିଥିବା ସାର୍ଟ ଖୋଲି ଦେଇଥିଲେ । ଆଉ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମସ୍ତଙ୍କ ଆଖି ଆଗରେ ତଳକୁ ଖସି ପଡ଼ିଥିଲେ। ଅଗ୍ନିଶମ ଅଧିକାରୀ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.