ପଡ଼ୋଶୀଙ୍କ ଘରୁ ବାହାରିଲେ ଫେରାର ଜେଇ, କହିଲେ – ଭିଜିଲାନ୍ସ ଚଢ଼ାଉ କଥା ଜାଣିନି

add-all

IMAGE_1701333033

ଭୁବନେଶ୍ବର : ବହୁ ଘଣ୍ଟାର ଛକାପଞ୍ଝା ପରେ ଶେଷରେ ଧରା ପଡ଼ିଲେ ମହାଧୂର୍ତ୍ତ କନିଷ୍ଠ ଯନ୍ତ୍ରୀ। ଭିଜିଲାନ୍ସ ଟିମ୍‌କୁ ଦେଖି ପଡ଼ୋଶୀଙ୍କ ଛାତକୁ ଡେଇଁ କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାଢ଼ୀ ଫେରାର ହୋଇ ଯାଇଥିବା ଖବର ଆଜି ସକାଳୁ ପ୍ରଚାରିତ ହୋଇଥିଲା। ସେଠାରେ ସେ ପ୍ରାୟ ୯ ଘଣ୍ଟା ଲୁଚି ରହିବା ପରେ ଅପରାହ୍ନ ପ୍ରାୟ ଦେଢ଼ଟା ପରେ ସେ ସେଠାରୁ ବାହାରିଛନ୍ତି। ପଡ଼ୋଶୀଙ୍କ ଘରୁ ଭିଜିଲାନ୍ସ ଅଧିକାରୀମାନେ ସୁନୀଲଙ୍କୁ କାବୁ କରି ନିଜ ହେପାଜତକୁ ନେଇଛନ୍ତି।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭୋର ପ୍ରାୟ ୪ଟା ବେଳେ ସୁନୀଲଙ୍କ ଜାଗମରାସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ପହଞ୍ଚିଥିଲା। ମାତ୍ର ଭିଜିଲାନ୍ସ ଟିମ୍‌କୁ ଦେଖି ସୁନୀଲ ପଡ଼ୋଶୀଙ୍କ ଛାତକୁ ଡେଇଁ ଫେରାର ହୋଇ ଯାଇଥିଲେ।
ମାତ୍ର ଚଢ଼ାଉ କ୍ରମଶଃ ଜୋରଦାର ହେଉଥିବା ଜାଣି ପାରି ସୁନୀଲ ପଡ଼ୋଶୀଙ୍କ ଘରୁ ବାହାରିବାକୁ ସ୍ଥିର କଲେ। ଏହାପରେ ତାଙ୍କ ପଡ଼ୋଶୀ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଡାକି ଭିଜିଲାନ୍ସ ଅଧିକାରୀଙ୍କ ସମ୍ମୁଖରେ କିଛି ଜରୁରୀ କଥା କହିବାର ଥିବା କହିଥିଲେ।
ଭିଜିଲାନ୍ସ ଅଧିକାରୀ ପହଞ୍ଚିବା ପରେ ପଡ଼ୋଶୀଙ୍କ ଘରୁ ସୁନୀଲ ବାହାରିବାରୁ ତାଙ୍କୁ ତୁରନ୍ତ ଭିଜିଲାନ୍ସ ଅଧିକାରୀମାନେ କାବୁ କରି ନେଇଥିଲେ। ଫେରାର ସମ୍ପର୍କରେ ସୁନୀଲଙ୍କୁ ପଚାରିବାରୁ ସେ ଏହାକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଇଥିଲେ। ଏପରିକି ଭିଜିଲାନ୍ସ ଚଢ଼ାଉ ବିଷୟରେ ଜାଣି ନ ଥିବା କହିଥିଲେ। ମୁଁ କାହିଁକି ଫେରାର ହେବି ବୋଲି ପଚାରିଥିଲେ। ତେବେ ପଡ଼ୋଶୀଙ୍କ ଘରେ କ’ଣ କରୁଥିଲେ ପଚାରିବାରୁ ହଡ଼ବଡ଼େଇ ଯାଇଥିଲେ ସୁନୀଲ। ମାତ୍ର ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ବି ପ୍ରତିଶ୍ରୁତି ଦେଇଛନ୍ତି।
ସୁନୀଲ ଫେରାର ହେବା ପରେ ଭିଜିଲାନ୍ସ ଅଧିକାରୀ ତାଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲେ। ମାତ୍ର ପ୍ରଥମେ ସୁନୀଲଙ୍କ ବିଷୟରେ ସେ କିଛି ଜାଣି ନ ଥିବା କହିଥିଲେ। କିନ୍ତୁ ପରେ ତାଙ୍କ ଘରୁ ସୁନୀଲ ବାହାରିଥିଲେ। ତେଣୁ ତାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି।
ସୁନୀଲଙ୍କ ଘରୁ ଏଯାବତ ନଗର ୪ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା, ବହୁ କାଗଜପତ୍ର, ଫିକ୍ସ ଡିପୋଜିଟ ଜବତ ହୋଇଛି। ଏଥିସହ ସୁନୀଲ ବିଦେଶରେ ପୁଞ୍ଜି ନିବେଶ କରିଥିବା ଜଣାଯାଇଛି। ସେ ସମ୍ପର୍କୀତ କାଗଜପତ୍ର ମଧ୍ୟ ଜବତ ହୋଇଥିବା ଜଣାଯାଇଛି।

ad-week
Leave A Reply

Your email address will not be published.