ହମାସ୍‌ ଚୁକ୍ତି ଉଲ୍ଲଂଘନ କରିଛି କହି ଗାଜା ଉପରେ ଆକ୍ରମଣ ଆରମ୍ଭ କଲା ଇସ୍ରାଏଲ୍‌…

add-all

we

ଗାଜା: ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବ‌େଳେ, ରକେଟ୍‌ ନିକ୍ଷେପ କରି ହମାସ୍‌ ଅସ୍ତ୍ରବିରତି ଉଲ୍ଲଂଘନ କରିଛି କହି ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସୂଚନାଯୋଗ୍ୟ, ସପ୍ତାହକ ପାଇଁ କରାଯାଇଥିବା ଏହି ସାମୟିକ ଚୁକ୍ତିର ସମୟ ଅବଧି ଆଜି ସକାଳେ ଶେଷ ହୋଇଛି। କିନ୍ତୁ, ଏହି ଚୁକ୍ତିକୁ ବୃଦ୍ଧି କରିବା ଲାଗି ବୁଝାମଣା ହୋଇଥିବା କଥା କୌଣସି ପକ୍ଷ ଘୋଷଣା କରିନାହାନ୍ତି।

ଅସ୍ତ୍ରବିରତି ପରିସମାପ୍ତିର କିଛି ସମୟ ପୂର୍ବରୁ ଇସ୍ରାଏଲ୍‌ କହିଛି ଯେ, ଗାଜା ଆଡୁ ନିକ୍ଷେପ କରାଯାଇଥିବା ଏକ ରକେଟ୍‌କୁ ସେମାନେ ବାଧା ଦେଇଛନ୍ତି। ସେହିପରି, ଗାଜାର ଉତ୍ତର ପ୍ରାନ୍ତରେ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା କଥା ହମାସ୍‌ ସହିତ ଅନୁବନ୍ଧିତ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୪ ତାରିଖ ଦିନ ଆରମ୍ଭ ହୋଇଥିବା ସାମୟିକ ଅସ୍ତ୍ରବିରତିକୁ ୨ ଥର ବୃଦ୍ଧି କରାଯାଇ ଗାଜାରୁ ୧୦୫ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି। ଏହା ପ୍ରତିବଦଳରେ ଇସ୍ରାଏଲ୍‌ କାରାଗାରରେ ବନ୍ଦୀ ହୋଇଥିବା ୨୪୦ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି। ଏହାଛଡ଼ା, ଏହି ଚୁକ୍ତି ଅନୁସାରେ ମାନବୀୟ ସହାୟତା ବହନ କରି ଆସିଥିବା ଟ୍ରକ୍‌ଗୁଡ଼ିକୁ ଗାଜା ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟ କରିଛି ଯେ, ଗୁରୁବାର ଦିନ ୮ଜଣ ପଣବନ୍ଦୀ ଓ ୩୦ଜଣ ପାଲେଷ୍ଟିନୀୟ କଏଦୀଙ୍କୁ ମୁକ୍ତ କରାଯିବା ପରେ କତର୍‌ ଓ ଇଜିପ୍ଟ ଏହି ଚୁକ୍ତିର ସମୟସୀମା ଆହୁରି ବୃଦ୍ଧି କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ। କିନ୍ତୁ, ତାହା ସଫଳ ହେଲାନାହିଁ।

ad-week
Leave A Reply

Your email address will not be published.