ବାଘ ଡରକୁ ବି ଖାତିର କଲେନି; ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ଡେଇଁଲେ ହଷ୍ଟେଲ ପାଚେରି

add-all

Students_1702104870

ରାୟଗଡା : ରାତିରେ ମାତୁଛନ୍ତି ବାଘ । ରାଜରାସ୍ତାରେ ବୁଲୁଛନ୍ତି। ମାତ୍ର ବାଘ ଡରକୁ ଖାତିର ନ କରି ପ୍ରଧାନଶିକ୍ଷକଙ୍କ ନିର୍ଯାତନାରେ ଅତିଷ୍ଠ ୧୪ ଛାତ୍ର ପିଲା ଶୀତୁଆ ରାତିରେ ହଷ୍ଟେଲ ପାଚେରି ଡେଇଁ ପଡ଼ିଲେ । ଆଉ କୁନି କୁନି ପାଦରେ ପାହାଡ଼ ଜଙ୍ଗଲ ମଝିରେ ୨୫ କିମି ଚାଲିଲେ। ପ୍ରଧାନଶିକ୍ଷକଙ୍କ କାର୍ଯ୍ୟକଳାପ ଓ ନିର୍ଯାତନରେ ଅତିଷ୍ଠ ପିଲାମାନେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି ଜଣାଇବାକୁ ଏପରି ଦୁଃସାହସିକ ପଦକ୍ଷେପ ଉଠାଇବାକୁ ପଛାଇଲେ ନାହିଁ। ଏପରି ଏକ ଅଭାବନୀୟ ଘଟଣା ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟରେ ଘଟିଛି।
ରାୟଗଡା ଜିଲ୍ଲା ଆବାସିକ ବିଦ୍ୟାଳୟରେ ସମୁଦାୟ ୨୪୦ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ମାତ୍ର ସେମାନଙ୍କ ନିମନ୍ତେ ପ୍ରଧାନଶିକ୍ଷକଙ୍କ ସମେତ ସମୁଦାୟ ୩ ଶିକ୍ଷକ ଅଛନ୍ତି। ଫଳରେ ଠିକ୍‌ ଭାବେ ପାଠ ପଢ଼ା ହେଉ ନ ଥିବା ପିଲାମାନେ ଅଭିଯୋଗ କରିଛନ୍ତି। ଏଥିସହ ହଷ୍ଟେଲରେ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ଅନ୍ୟାନ୍ୟ ଆନୁସାଙ୍ଗିକ ସାମଗ୍ରୀ କଥା କହିଲେ ଗାଳି ଶୁଣିବାକୁ ପଡ଼ୁଛି। ଏପରିକି ଟିକେ ଟିକେ କଥାରେ ପ୍ରଧାନଶିକ୍ଷକ ପିଲାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ମାରପିଟ କରୁଥିବା ବି ପିଲାମାନେ ଅଭିଯୋଗ କରିଛନ୍ତି।
ଏଥିରେ ଅତିଷ୍ଠ ହୋଇ ୧୪ ଛାତ୍ର ଗତ ରାତି ପ୍ରାୟ ୩ ଟା ପରେ ହଷ୍ଟେଲ ପାଚେରି ଡେଇଁ ପଳାଇଥିଲେ। ଏହାପରେ ସେମାନେ ଜିଲ୍ଲାପାଳଙ୍କୁ ନିଜ ଗୁହାରି ଜଣାଇବାକୁ ପ୍ରାୟ ୨୫ କିମି ଚାଲି ଚାଲି ଯାଇଥିଲେ। ମାତ୍ର ଦ୍ୱିତୀୟ ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛୁଟି ଥିବାରୁ ପିଲାମାନେ ତାଙ୍କୁ ଭେଟି ପାରି ନ ଥିଲେ। ଏହାପରେ ସେମାନେ ସର୍କିଟ ହାଉସରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଥିଲେ।
ମନ୍ତ୍ରୀ ସମସ୍ତ ଅଭିଯୋଗ ଶୁଣିବା ପରେ ଏହାର ତଦନ୍ତ କରାଯିବ ଏବଂ ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହାପରେ ପିଲାମାନଙ୍କୁ ଖାଇବାକୁ ଦିଆଯାଇ ସ୍କୁଲ ପଠାଇ ଦିଆଯାଇଛି। ଏଥିସହ ଏହି ଘଟଣାର ତଦନ୍ତ କରି ଖୁବ୍‌ ଶୀଘ୍ର ରିପୋର୍ଟ ଦେବାକୁ ମନ୍ତ୍ରୀ ରାୟଗଡ଼ା ଏଡିଡବ୍ଲ୍ୟୁଓ ମଳୟ ରଞ୍ଜନ ଚିନରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.