ଲୋକସଭାରୁ ବହିଷ୍କାର ହେବା ପରେ ସରକାରୀ ବଙ୍ଗଳା ଛାଡ଼ିବେ ମହୁଆ.. !

add-all

04mahua-moitra-750x430

ନୂଆଦିଲ୍ଲୀ: ବଢ଼ିଲା ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସମସ୍ୟା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ସରକାରୀ ବାସଭବନ ଖାଲି କରିବାକୁ କହିଲେ ସଂସଦର ହାଉସିଂ କମିଟି। ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୈତ୍ରଙ୍କ ବିରୋଧରେ ’କ୍ୟାସ୍‌ ଫର୍‌ କ୍ୱେରି’ ଅଭିଯୋଗ ନେଇ ସଦାଚାର କମିଟିର ରିପୋର୍ଟ ଆସିବା ପରେ ତାଙ୍କୁ ଡିସେମ୍ବର ୮ରେ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଲୋକସଭାରୁ ବହିଷ୍କାର ହେବା ପରେ ଏବେ ତାଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ କୁହାଯାଉ ବୋଲି ଗୃହ ଓ ସହର ବ୍ୟାପର ମନ୍ତ୍ରାଳୟକୁ ଚିଠି ଲେଖିଲା ହାଉସିଂ କମିଟି।
ସୂଚନାଯୋଗ୍ୟ, ଏଥିକ୍ସ କମିଟିର ରିପୋର୍ଟ ଗୃହରେ ଉପସ୍ଥାପନ କରାଯିବା ପରେ ଗତ ଡିସେମ୍ବର ୮ ତାରିଖରେ ମହୁଆଙ୍କୁ ବହିଷ୍କାର କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ମହୁଆ ସଂସଦରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ସମାଲୋଚନା କରୁଥିବା ପ୍ରଶ୍ନ ପଚାରିବା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କଠାରୁ ନଗଦ ୨କୋଟି ଟଙ୍କା ଓ ବିଳାସପୂର୍ଣ୍ଣ ଉପହାର ସାମଗ୍ରୀ ସମେତ ଲାଞ୍ଚ ନେଇଥିଲେ। ଏଥି ସହ ସେ ସଂସଦ ୱେବ୍‌ସାଇଟ୍‌ର ଲଗ୍‌ଇନ୍ ବିବରଣୀ ମଧ୍ୟ ହୀରାନନ୍ଦାନିଙ୍କୁ ଦେଇଥିଲେ।
‌ଅନ୍ୟପକ୍ଷରେ ଡିସେମ୍ବର ୮ରେ ତାଙ୍କୁ ବହିଷ୍କାର କରାଯିବା ପରେ ସେ ସୋମବାର ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ସାମ୍ନାକୁ ଆସିଛି। ସୁପ୍ରିମ୍‌କୋର୍ଟରେ ଆବେଦନ କରି ମହୁଆ କହିଛନ୍ତି ଯେ, ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କାର କରି ଅନ୍ୟାୟ କରାଯାଇଛି। ଏଥିକ୍ସ କମିଟି ସମସ୍ତ ନିୟମ ଭାଙ୍ଗିଛି। ଗୃହରେ ନିଜ ସପକ୍ଷରେ ସଫେଇ ଦେବାର ସୁଯୋଗ ତାଙ୍କୁ ଦିଆଯାଇ ନ ଥିଲା। ତାଙ୍କ ବିରୋଧରେ ଅଭିଯୋଗ କରିଥିବା ତାଙ୍କର ପୂର୍ବତନ ବୟଫ୍ରେଣ୍ଡ ତଥା ସୁପ୍ରିମ୍‌କୋର୍ଟ ଓକିଲ ଜୟ ଅନନ୍ତ ଦେହାଦ୍ରାଇ ଓ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ କ୍ରସ୍-ଏକ୍‌ଜାମିନ୍ (ଜେରା) କରିବାର ସୁଯୋଗ ମଧ୍ୟ ତାଙ୍କୁ ଦିଆଯାଇ ନ ଥିବା ମହୁଆ ଅଭିଯୋଗ କରିଛନ୍ତି।

ad-week
Leave A Reply

Your email address will not be published.