ଭାରତକୁ ପ୍ରଶଂସା କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ…

Nawaz_1703164938

ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ସମ୍ପର୍କରେ ସମସ୍ତଙ୍କୁ ଜଣା। କିନ୍ତୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ ଖୋଲାଖୋଲି ଭାବେ ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି। ପଡ଼ୋଶୀ ଦେଶ ଚନ୍ଦ୍ରରେ ପହଞ୍ଚି ସାରିଲେଣି କିନ୍ତୁ ପାକିସ୍ତାନ ମାଟିରୁ ଉଠି ପାରୁନାହିଁ ବୋଲି ଶରିଫ କହିଛନ୍ତି।

ବୁଧବାର ଇସଲମାବାଦରେ ପିଏମଏଲ-ଏନ କ୍ୟାଡରମାନଙ୍କୁ ସମ୍ବୋଧନ କରିଥିଲେ ଶରିଫ। ଦେଶରେ ଦୁର୍ବଳ ଅର୍ଥନୀତିକ ବ୍ୟବସ୍ଥା କଥା ସେ ଉଠାଇବା ସହ ଏପରି ବିପର୍ଯ୍ୟୟ ପାଇଁ ପାକିସ୍ତାନ ନିଜେ ହିଁ ଦାୟୀ ବୋଲି ଶରିଫ କହିଛନ୍ତି।

ସେ କହିଛନ୍ତି, “ଆମ ପଡ଼ୋଶୀମାନେ ଚନ୍ଦ୍ରରେ ପହଞ୍ଚି ଗଲେଣି। କିନ୍ତୁ ଆମେ ଭୂପୃଷ୍ଠରୁ ଏଯାଏ ଉଠି ପାରିନେ। ଏପରି ଭାବେ ସବୁ କିଛି ଆଉ ଚାଲି ପାରିବ ନାହିଁ। ଆମର ଅବନୀତି ପାଇଁ ଆମେ ନିଜେ ଦାୟୀ। ନଚେତ ଆମ ଦେଶ ଆଉ ଗୋଟିଏ ଭିନ୍ନ ସ୍ଥାନରେ ପହଞ୍ଚି ସାରନ୍ତାଣି। ନିଜର ବିପର୍ଯ୍ୟୟ ପାଇଁ ଆମେ କାହାକୁ ଦାୟୀ କାହିଁକି କରିବା?

୨୦୧୩ରେ ଆମେ ଏକାଧିକ ବିଜୁଳି ବିଭ୍ରାଟର ସମ୍ମୁଖୀନ ହେଉଥିଲେ। ‌ଆମେ ଆସିଲୁ ଓ ଏହାକୁ ଶେଷ କଲୁ। ପୂରା ଦେଶରେ ଆତଙ୍କବାଦର ମୂଳପୋଛ କରି ଶାନ୍ତି ପ୍ରତିଷ୍ଠା କରିଥିଲୁ। ଜାତୀୟ ରାଜପଥ ତିଆରି ହୋଇଥିଲା।

ସିପିଇସି ଆସିଥିଲା। ନୂଆ ଯୁଗର ବିକାଶ ଓ ସୌହାର୍ଦ୍ଦ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ଏବେ ସବୁ କିଛି ଓଲଟ ପାଲଟ ହୋଇଯାଇଛି। ପାକିସ୍ତାନର ବର୍ତ୍ତମାନ ଅବସ୍ଥା ପାଇଁ ଆମେ କାହାକୁ ଦାୟୀ କରିବା? ଆମେ ନିଜ ଗୋଡ଼ରେ ନିଜେ ଗୁଳି ମାରିଛେ।”

ପିଏମଏଲ-ଏନ ସୁପ୍ରିମୋ ଶରିଫଙ୍କ କହିବା କଥା ଯେ ୨୦୧୪ରେ ତାଙ୍କ ସରକାର କ୍ଷମତାରେ ଥିବା ବେଳେ ମୁଦ୍ରାସ୍ଫୀତି ହ୍ରାସ ପାଇଥିଲା। ଗୋଟିଏ ରୁଟି ପାକିସ୍ତାନ ମୁଦ୍ରା ୨ ଟଙ୍କାରେ ମିଳୁଥିଲା। କିନ୍ତୁ ଏବେ ରୁଟି ପିକେଆର ୩୦ରେ ପହଞ୍ଚି ଯାଇଛି। ଏହାବାଦ ତାଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଫସାଇବା ପାଇଁ କେମିତି ମିଛି କେସ୍‌ କରାଯାଇଥିଲା, ସେକଥା ମଧ୍ୟ ଶରିଫ ସମସ୍ତଙ୍କୁ କହିଛନ୍ତି।

ad-week
Leave A Reply

Your email address will not be published.