ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଆଲୋଚନା…

add-all

Screenshot-2023-12-22-111526-750x430

ପୁରୀ: ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଯଜ୍ଞ ନେଇ ଗତକାଲି ସନ୍ଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯଜ୍ଞ, ସଂକୀର୍ତ୍ତନ ଓ ବେଦପାଠ ପାଇଁ ଗଠିତ ତିନୋଟି ସବକମିଟିର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରଯାଇଥିଲା। ଯଜ୍ଞ ପାଇଁ ୧୦୮ ଶ୍ରୋତ୍ରୀୟ ବ୍ରାହ୍ମଣ ନିୟୋଜିତ ହେବେ। ତନ୍ମଧ୍ୟରୁ କେବଳ ୬୦ ଜଣ ବ୍ରାହ୍ମଣ ଚାରିଦ୍ବାରରେ ବେଦ ପାରାୟଣ କରିବେ।

ସେହିପରି ସଂକୀର୍ତ୍ତନ ପାଇଁ ଶହେ ଜଣ ବ୍ରାହ୍ମଣ ନିୟୋଜିତ ହେବେ। ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ବାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ। ଗୁଆ ଟେକା ଉତ୍ସବରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ଅଧିକାରୀ, ଷୋଳ ଶାସନର ବ୍ରାହ୍ମଣ ଓ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପ୍ରତିନିଧି ଉପସ୍ଥିତ ରହିବେ।

ସେପଟେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ଆଜି କରାଯିବ ନିମନ୍ତ୍ରଣ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରି ଜଗତଗୁରୁଙ୍କୁ ନିମନ୍ତ୍ରଣ ପତ୍ର ଦେବେ । ସେଠାରେ ଜଗତଗୁରୁଙ୍କ ସହ ବିସ୍ତୃତ ଭାବରେ ପରିକ୍ରମା ପ୍ରକଳ୍ପର ଯଜ୍ଞ ଓ ହୋମ ଆଦି ବିଧିବିଧାନ ସମ୍ପର୍କରେ ଆଲୋଚନା କରାଯିବ ।

ଗତକାଲି ବୈଠକରେ ତିନୋଟି ଯାକ ବିଭାଗର କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ନିଷ୍ଠା, ଭକ୍ତି ଓ ପବିତ୍ରତାର ସହିତ ଏହି କାର୍ଯ୍ୟ କରିବାକୁ ଶ୍ରୋତ୍ରୀୟ ବ୍ରାହ୍ମଣ ମାନଙ୍କୁ ଗଜପତି ମହାରାଜା ପରାମର୍ଶ ଦେଇଛନ୍ତି। ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ। ୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ଓ ନିମନ୍ତ୍ରିତ ଅତିଥି ଯୋଗଦେବେ। ପ୍ରଥା ଓ ପରମ୍ପରା ଅନୁଯାୟୀ ୧୭ ତାରିଖରେ ଗଜପତିଙ୍କ ଦ୍ବାରା ଶଙ୍କରାଚାର୍ଯ୍ୟଙ୍କ ପାଦୁକାପୂଜା କରାଯିବ।

ad-week
Leave A Reply

Your email address will not be published.