ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଲେ ବାଂଲାଦେଶ କୋର୍ଟ…

add-all

Muhammad Yunnas - Founder - Grameen Foundation

ଢାକା: ବାଂଲାଦେଶର ନୋବେଲ ବିଜେତା ଅର୍ଥନୀତିଜ୍ଞ ଡକ୍ଟର ମହମ୍ମଦ ୟୁନୁସଙ୍କୁ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗରେ ସୋମବାର ଏକ ଅଦାଲତ ୬ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ୮୩ ବର୍ଷୀୟ ଅର୍ଥନୀତିଜ୍ଞ ୨୦୦୬ ମସିହାରେ ଦାରିଦ୍ର୍ୟ ବିରୋଧୀ ଅଭିଯାନ ପାଇଁ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ଏବଂ ୧୯୮୩ ମସିହାରେ ପ୍ରତିଷ୍ଠା କରିଥିବା ତାଙ୍କ ଗ୍ରାମୀଣ ବ୍ୟାଙ୍କ ଜରିଆରେ ବାଂଲାଦେଶକୁ ମାଇକ୍ରୋକ୍ରେଡିଟ୍‌ର ଘର ଭାବେ ଖ୍ୟାତି ଅର୍ଜନ କରିଥିଲେ।
ୟୁନୁସ୍‌ ଏବଂ ଗ୍ରାମୀଣ ଟେଲିକମ୍‌ରେ ତାଙ୍କର ତିନି ଜଣ ସହଯୋଗୀ (ସେ ପ୍ରତିଷ୍ଠା କରିଥିବା ଅନ୍ୟତମ ସଂସ୍ଥା) କମ୍ପାନିରେ ଶ୍ରମିକ କଲ୍ୟାଣ ପାଣ୍ଠି ସୃଷ୍ଟି କରିବାରେ ବିଫଳ ହେବା ପରେ ଶ୍ରମ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା।
ତୃତୀୟ ଶ୍ରମ ଅଦାଲତର ବିଚାରପତି ଶେଖ୍‌ ମେରିନା ସୁଲତାନା ଗ୍ରାମୀଣ ଟେଲିକମ୍‌ ଅଧ୍ୟକ୍ଷ ଭାବେ ଆଇନ ଉଲ୍ଲଂଘନ କରିଥିବାରୁ ୟୁନୁସଙ୍କୁ ୬ ମାସର ସରଳ କିମ୍ବା ଅଣ-ସଶ୍ରମ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଶ୍ରମ ଆଇନ ଉଲ୍ଲଂଘନ ଅଭିଯୋଗ ପ୍ରମାଣିତ ହୋଇଛି ବୋଲି ବିଚାରପତି ରାୟ ଶୁଣାଇ କହିଛନ୍ତି। ଏଥିସହିତ ସେ ପ୍ରତ୍ୟେକଙ୍କୁ ୨୫ ହଜାର ଟାକା (୨୨୭.୮୨ ଆମେରିକୀୟ ଡଲାର) ଜରିମାନା କରିବା ସହ ଖିଲାପ କଲେ ସେମାନଙ୍କୁ ଆଉ ୧୦ ଦିନ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କହିଛନ୍ତି।
ରାୟ ପ୍ରକାଶ ପାଇବା ପରେ ୟୁନୁସ୍‌ ଏବଂ ଅନ୍ୟ ତିନି ଜଣ କାର୍ଯ୍ୟନିର୍ବାହୀ ଜାମିନ ଆବେଦନ କରିଥିଲେ, ଯାହାକୁ ବିଚାରପତି ୫୦୦୦ ଟାକାର ବଣ୍ଡ ବଦଳରେ ତୁରନ୍ତ ଏକ ମାସ ପାଇଁ ଜାମିନ ପ୍ରଦାନ କରିଛନ୍ତି। ଆଇନ ଅନୁଯାୟୀ ଏହି ରାୟ ବିରୋଧରେ ଚାରିଜଣ ହାଇକୋର୍ଟରେ ଆବେଦନ କରିପାରିବେ। ବାଂଲାଦେଶରେ ଜାନୁଆରି ୭ରେ ହେବାକୁ ଥିବା ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ ଏହି ରାୟ ଆସିଛି। ତାଙ୍କ ସମର୍ଥକମାନେ ଏହି ରାୟକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିିଛନ୍ତି।

ad-week
Leave A Reply

Your email address will not be published.