ରାତିରେ ଗାଁରେ ପଶୁଛନ୍ତି ହାତୀ, ଘରେ ଶୁଣ୍ଢ ପୂରାଇ ଖାଇଯାଉଛନ୍ତି

add-all

Elephant_1704289277

କେନ୍ଦୁଝର : ରାତିରେ ଗାଁକୁ ଆସିଛି ହାତୀ। ଶୁଣ୍ଢ ପୂରାଇ ଘର ଭିତରେ ଥିବା ଧାନ, ଚାଉଳ ଖାଇଯାଉଛି। ମଙ୍ଗଳବାର ରାତିସାରା ହାତୀ ପଲ ଏମିତି ଉତ୍ପାତ କରିଛନ୍ତି କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ। ପନି ପରିବାର ଚାଷ ମଧ୍ୟ ହାତୀ ପଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି।
ମଙ୍ଗଳବାର ରାତିରେ ମଙ୍ଗଳପୁର ଗାଁର ଲୋକମାନେ ଖାଇପିଇ ଶୋଇଥିଲେ। ଶୀତୁଆ ରାତି। ନିଘୋଡ଼ ନିଦ। ତାହାରି ଭିତରେ ହାତୀ ପଲ ଗାଁରେ ପଶିଥିଲା। ଖାଦ୍ୟ ଉଦ୍ଦେଶ୍ୟରେ ଜଣଙ୍କ ଘର ଭିତରେ ଶୁଣ୍ଢ ପୁରାଇ ଦେଇଥିଲେ। କାନ୍ଥ ଭୁଶୁଡିବା ଶବ୍ଦ ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ଚିତ୍କାର କରିଥିଲେ। ତା’ପରେ ଗାଁ ଲୋକେ ଘରୁ ବାହାରି ଆସି ହୋହଲ୍ଲା କରିଥିଲେ। ମଙ୍ଗଳପୁର ଗାଁରେ ହାତୀ ପଲ ୫ଟି ଘର ଭାଙ୍ଗିଥିଲେ।
ଲୋକଙ୍କ ହୋହଲ୍ଲା ଯୋଗୁ ହାତୀ ପଲ ତାଟିହୁଡ଼ି ସାହିକୁ ପଳାଇ ଯାଇଥିଲେ। ସେଠାରେ ଘର ଭାଙ୍ଗି ଧାନ ଚାଉଳ ଖାଇ ଯାଇଥିଲେ। ଭୟରେ ଘର ଛାଡି ପଳାଇ ଯାଇଥିଲେ ପରିବାର ଲୋକେ। ଗାଁ ଭିତରେ ହାତୀପଲ ପଶିଥିବାରୁ ଲୋକେ ଆତଙ୍କିତ ହୋଇଯାଇ ଥିଲେ। ଯାହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମିଳିଥିବା ସୂଚନା ଅନୁସାରେ, ହାତୀ ପଲ ଧାନବେଣୀରେ ୪ ଘର, ଡିଆନାଳୀ ଓ ସାଧୁପଡ଼ାରେ ଗୋଟିଏ ଘର ଭାଙ୍ଗିଛନ୍ତି। ଏଥିସହ ଚାଷ ହୋଇ ପନିପରିବା ଖାଇ ଯାଇଛନ୍ତି।
୨୨ଟିକିଆ ହାତୀ ପଲ ଉତ୍ପାତ୍ତ କରି କପୁଣ୍ଡି ଗାଁରେ ପହଞ୍ଚିଥିଲେ। ବନ ବିଭାଗ କର୍ମଚାରୀମାନେ ଏ ସମ୍ପର୍କରେ ଜାଣିପାରି ଆଜି ଭୋରୁ ଭୋରୁ କପୁଣ୍ଡି ଗାଁରେ ପହଞ୍ଚିଥିଲେ। ବନ କର୍ମଚାରୀଙ୍କୁ ଦେଖି ଗାଁ ଲୋକେ ତାତି ଯାଇଥିଲେ। ବନ ବିଭାଗ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ କରିଥିଲେ ଗାଁ ଲୋକ। ଉତ୍ତ୍ୟକ୍ତ ଗାଁ ଲୋକେ ବନ ବିଭାଗ କର୍ମଚାରୀଙ୍କୁ କିଛି ସମୟ ପାଇଁ ଅଟକ ରଖିଥିଲେ। ବହୁ ବୁଝାସୁଝା ପରେ ଗାଁ ଲୋକେ ବନ କର୍ମଚାରୀଙ୍କୁ ଛାଡ଼ି ଥିଲେ।
ମିଳିଥିବା ସୂଚନା ଅନୁସାରେ ହାତୀ ପଲ ମଙ୍ଗଳପୁର ଗ୍ରାମ୍ୟ ଜଙ୍ଗଲରେ ଅଛନ୍ତି। ବନ କର୍ମଚାରୀମାନେ ସେମାନଙ୍କ ଗତିପଥକୁ ନଜର ରଖିଛନ୍ତି। ପ୍ରଭାବିତ ଗାଁରେ ପାଟ୍ରୋଲିଂ ବ୍ୟବସ୍ଥା କରାଯାଉଛି।

ad-week
Leave A Reply

Your email address will not be published.