ଚାଷୀ କିଣିବେ ହେଲିକପ୍ଟର, ଚାଷ କରିବାକୁ ବ୍ୟାଙ୍କ ପିଓ ଚାକିରି ଛାଡ଼ି ଦେଇଥିଲେ

youtube

ଲକ୍ଷ୍ନୌ : ଫସଲ ଦେଖାରଖା କରିବା ପାଇଁ ଚାଷୀ କିଣିବେ ହେଲିକପ୍ଟର। ଛତିଶଗଡ଼ର ବସ୍ତରରେ ସଫେଦ ମୁସଲି ଓ ଗୋଲମରିଚ ଚାଷ କରୁଥିବା କରୁଥିବା ଜଣେ ଚାଷୀ ହେଲିକପ୍ଟର କିଣିବାକୁ ଯାଉଥିବାରୁ ଏହାକୁ ନେଇ ସବୁଠି ବେଶ ଚର୍ଚ୍ଚା। ଏହି ଚାଷୀଙ୍କ ନାମ ଡା. ରାଜାରାମ ତ୍ରିପାଠୀ। ସେ ୪ ଥର ସର୍ବଶ୍ରେଷ୍ଠ ଚାଷୀ ପୁରସ୍କାର ପାଇ ସାରିଲେଣି। ସେ ବସ୍ତରର କୋଣ୍ଡାଗାଁ ଓ ଜଗଦଲପୁରରେ ଏହି ଚାଷ କରୁଛନ୍ତି। ତାଙ୍କ ପୂରା ପରିବାର ଏହି ଚାଷର ଦେଖାରଖା କାର୍ଯ୍ୟରେ ନିୟୋଜିତ। ସେ ଏହି ଫସଲରୁ ପାଇଥିବା ଲାଭରୁ ୭ କୋଟି ଟଙ୍କା ଖର୍ଚ୍ଚ କରି ନୂଆ ହେଲିକପ୍ଟର କିଣିବାକୁ ଯାଉଛନ୍ତି। ହଲାଣ୍ଡର ରାମ୍ୱିସନ୍ କମ୍ପାନୀ ସହ ସେ ଏଥିପାଇଁ ଡିଲ ମଧ୍ୟ କରିଛନ୍ତି। ଆର-୪୪ ମଡେଲର ୪ ସିଟ୍‌ ଥିବା ହେଲିକପ୍ଟର ଚାଷର ଦେଖାରଖା ଓ ଅନ୍ୟ କାର୍ଯ୍ୟରେ ବ୍ୟବହାର ହେବ। ବିଶେଷ ଜ୍ଞାନକୌଶଳରେ ନିର୍ମିତ ଏହି ଉଡନ୍ତା ବିମାନ ଦେଢ଼ରୁ ୨ ବର୍ଷ ଭିତରେ ବସ୍ତରରେ ପହଞ୍ଚିବ।
ଡା. ତ୍ରିପାଠୀ ଏବେ ବାର୍ଷିକ ୨୫ କୋଟି ଟଙ୍କା ଆୟ କରୁଥିବା ବସ୍ତରର ମା’ ଦନ୍ତେଶ୍ୱରୀ ହରର୍ବଲ ସମ୍ମୁହର ସିଇଓ ଅଛନ୍ତି। ୪୦୦ ଆଦିବାସୀ ପରିବାର ସହ ମିଶି ପ୍ରାୟ ୧ ହଜାର ଏକର ଜମିରେ ଚାଷ କରୁଛନ୍ତି। ଏହି ସଂଗଠନ ୟୁରୋପ ଓ ଆମେରିକାକୁ ଗୋଲମରିଚ ରପ୍ତାନୀ କରୁଛନ୍ତି।
କୋଣ୍ଡାଗାଁରେ ରହୁଥିବା ଡା. ତ୍ରିପାଠୀ ସଫେଦ ମୁସଲି ଓ ଜୈବିକ ଚାଷ ନିମନ୍ତେ ମଧ୍ୟ ବେଶ ପରିଚିତ। ସେ ଆଷ୍ଟ୍ରଲିଆ ଢାଞ୍ଚାରେ ଗ୍ରୀନ୍ ହାଉସ୍ ଟେକ୍‌ନିକ ବ୍ୟବହାର କରି ଗୋଲମରିଚ ଚାଷ କରୁଛନ୍ତି। ଯେଉଁଠାରୁ ୪୦ ବର୍ଷ ପର୍ଯ୍ୟନ୍ତ ପ୍ରତି ଏକର ଜମିରୁ କୋଟିରୁ ଅଧିକ ଟଙ୍କା ଆୟ ହୋଇପାରିବ।
ସେ କୃଷି ମନ୍ତ୍ରଣାଳୟ ଓ ଭାରତୀୟ କୃଷି ଏବଂ ଖାଦ୍ୟ ପରିଷଦ ପକ୍ଷରୁ ୩ ଥର ସର୍ବଶ୍ରେଷ୍ଠ ଚାଷୀ ଏବଂ ଜାତୀୟ ଉଦ୍ୟାନ କୃଷି ବୋର୍ଡ ପକ୍ଷରୁ ଥରେ ସର୍ବଶ୍ରେଷ୍ଠ ରପ୍ତାନୀକାରୀ ପୁରସ୍କାର ପାଇସାରିଛି। ସେ ଏଭଳି ଜଣେ ଚାଷୀ ହେବାକୁ ଯାଉଛନ୍ତି, ଯାହାଙ୍କ ପାଖରେ ନିଜର ହେଲିକପ୍ଟର ଥିବ।
ଡା. ତ୍ରିପାଠୀ କହିଛନ୍ତି, ଜର୍ମାନ ଓ ଇଂଲଣ୍ଡକୁ କୃଷି ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ହେଲିକପ୍ଟର ବ୍ୟବହାର କରାଯାଇ ଚାଷ ହେଉଥିବା ଦେଖିବାକୁ ପାଇଥିଲେ। ତେଣୁ ସେ ତାଙ୍କ ସଂଗଠନ ସହ ମିଶି ୧ ହଜାର ଏକର ଜମିରେ କରୁଥିବା ଚାଷ କାମରେ ହେଲିକପ୍ଟର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ହେଲିକପ୍ଟରରେ ମେସିନ୍ ବ୍ୟବହାର ହୋଇପାରିବ।
ଚାଷ ଜମିରେ ସାର ଓ କୀଟନାଶକ ପ୍ରୟୋଗ ବେଳେ ଅନେକ ସ୍ଥାନରେ ଏହା ପଡ଼ିପାରେନି। ତେଣୁ ରୋଗ, ପୋକ ଦେଖାଦିଏ। ହେଲିକପ୍ଟର ଦ୍ୱାରା ସାର କିଟନାଶକ ପକାଗଲେ ଏହା ଉତ୍ପାଦନ ବଢ଼ାଇବାରେ ସଫଳ ହେବ। ଏହାଛଡ଼ା ଚାଷୀଙ୍କୁ ମଧ୍ୟ ଏହାର ଫାଇଦା ମିଳିବ।
ଉତ୍ତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲାର ଡା. ତ୍ରିପାଠୀଙ୍କ ଦାଦା ଶମ୍ଭୁନାଥ ତ୍ରିପାଠୀ ୭୦ ବର୍ଷ ପୂର୍ବେ ଛତିଶଗଡ଼ର(ଏବେ ମଧ୍ୟପ୍ରଦେଶ)ର ଦରଭା ଘାଟିର କକନାର ଅଞ୍ଚଳରେ ଚାଷ କରୁଥିଲେ। ଯେତେବେଳେଙ୍କ ତାଙ୍କ ବାପା ଜଗଦୀଶ ଶିକ୍ଷକ ଥିଲେ। ଜଗଦଲପୁରରେ କଲେଜ ପାଠପଢ଼ା ସାରିବା ପରେ ଡା. ତ୍ରିପାଠୀଙ୍କୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ପ୍ରୋବେସନର ଅଧିକାରୀ(ପିଓ) ଭାବେ କୋଣ୍ଡାଗାଁ ଶାଖାରେ ନିଯୁକ୍ତି ମିଳିଥିଲା। ୧୯୯୬ ମସିହାରେ ସେଠାରେ ସେ ୫ ଏକର ଜମିରେ ପରିବା ଚାଷ ଆରମ୍ଭ କରିବା ପରେ ମୁସଲି ଓ ଅଶ୍ୱଗନ୍ଧା ଚାଷ କରି ବେଶ ଲାଭବାନ ହୋଇପାରିଥିଲେ। ପରେ ସେ ବ୍ୟାଙ୍କ୍‌ ଚାକିରି ଛାଡ଼ି ଦେଇଥିଲେ।
୨୦୦୨ ମଦହାରେ ସଫେଦ୍‌ ମୁସଲି ଦାମ୍ ଖସିବା ଯୋଗୁ ସେ କ୍ଷତି ମଧ୍ୟ ସହିଥିଲେ। ହେଲେ ସେ ହାରିଯାଇ ନ ଥିଲେ। ଚାଷରେ ସଫଳତା ପାଇଁ ସେ ବିଭିନ୍ନ ପ୍ରକାର ଚାଷ କରିଥିଲେ। ୨୦୧୬ରେ ସେ ଅଷ୍ଟ୍ରେଲିଆ ଢାଞ୍ଚାରେ ଚାଷ କରି ବେଶ ଲାଭବାନ ହୋଇପାରିଥିଲେ। ଏବେ କୋଣ୍ଡାଗାଁ ଓ ଜଗଦଲପୁରର ଥିବା ହଜାର ଏକର ଜମିରେ ସେ ସଫେଦ ମୁସଲି, ଗୋଲମରିଚ ପ୍ରଭୃତି ଚାଷ କରୁଛନ୍ତି।
ହେଲିକପ୍ଟର ପହଞ୍ଚିବା ପୂର୍ବରୁ ଡା. ତ୍ରିପାଠୀ, ତାଙ୍କ ପୁଅ ଓ ସାନ ଭାଇ ସହ ହେଲିକ୍ଟର ଚଳାଇବା ତାଲିମ ନେବା ପାଇଁ ଖୁବ୍‌ଶୀଘ୍ର ଉଜ୍ଜୟିନୀ ପ୍ରଶିକ୍ଷଣ କେନ୍ଦ୍ରକୁ ଯିବେ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.