ବ୍ୟାପୁଛି ଆଖିଧରା ରୋଗ : ଚଳିତ ମାସ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

add-all

ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଆଖି ଧାରା ରୋଗ ଅସ୍ବାଭାବିକ ଭାବେ ବଢ଼ିବାରେ ଲାଗିଛି । ଭୁବନେଶ୍ବର, କଟକ ସମେତ ଯାଜପୁର, ବାଲେଶ୍ବର ସମେତ ଅନ୍ୟ ଜିଲ୍ଲାରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଛି । ଭୟରେ ଲୋକମାନେ ହସ୍ପିଟାଲରେ ଭିଡ଼ ଜମାଉଛନ୍ତି। ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ରୋଗ ମାଡ଼ିଚାଲିଛି । ଏବେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି।

ବିଶେଷଜ୍ଞଙ୍କର କହିବା କଥା ହେଉଛି, ଋତୁ ପରିବର୍ତ୍ତନ ହେଲେ ଆଖି‌ ଧରା ରୋଗ ଦେଖିବାକୁ ମିଳିଥାଏ। ଏଡିନୋ ଭୂତାଣୁ ଏହି ରୋଗର କାରଣ।ଏବେ ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି। ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଆଖି ଧରା ରୋଗ ହୋଇଥାଏ। ଚଳିତବର୍ଷ ଏହାର ମାତ୍ରା ଅଧିକ ରହିଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରୁଛି। ଭୁବନେଶ୍ବରର ସାଲିଆସାହି ଅଞ୍ଚଳରେ ୩୦-୪୦ % ଲୋକ ଏହାର ଶିକାର ‌ଥିବା ଜଣାପଡ଼ିଛି।

ଆଖିଧରା ଏକ ସ୍ପର୍ଶଜନିତ ସଂକ୍ରାମକ ରୋଗ ହୋଇଥିବାରୁ ଏହାର ପ୍ରତିଷେଧକ ପାଇଁ ମାର୍ଗଦର୍ଶିକା ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ଏଥିରେ କୁହାଯାଇଛି, ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ । ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ । ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ । ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ । ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ । ଏପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ଆଖିଧରା ରୋଗର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।

ଆଖିଧରା ରୋଗକୁ କଞ୍ଜୁଙ୍କଟିଭିଟିସ ବା ପିଙ୍କ ଆଇ ବୋଲି କୁହାଯାଏ । ଏହି ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଖୁଞ୍ଚି ହୁଏ । ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ । ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ । ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ । କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ । ସଚେତନତା ଅଭାବରୁ ଛୋଟ ପିଲା ଓ ସ୍କୁଲ ଛାତ୍ରଛାତ୍ରୀଙ୍କଠାରେ ଏହା ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି ।

ad-week
Leave A Reply

Your email address will not be published.