ରୋଗୀକୁ ମିଳିଲାନି ଆମ୍ବୁଲାନ୍ସ, ଟ୍ରଲିରେ ଗଲେ ହସ୍ପିଟାଲ

add-all

ସୋନପୁର: ଜଣେ ରୋଗୀଙ୍କୁ ଆମ୍ବୁଲାନ୍ସ ନମିଳିବାରୁ ରିକ୍ସା ଟ୍ରଲିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବାକୁ ପଡିଛି। ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନିଜ ଜିଲ୍ଲା ବିନିକାରେ ଏହି ଘଟଣା ଘଟିଛି।

ରୋଗୀ ଜଣକ ହେଲେ ହାଲୁ ନାଏକ(୩୮)। ସେ ଗୁରୁବାର କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଓ ତଳେ ପଡ଼ିଯାଇଥିଲେ। ତାଙ୍କ ସାଙ୍ଗମାନେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କୁ ଗୋଟିଏ ବି ଆମ୍ବୁଲାନ୍ସ ମିଳିନଥିବା ଅଭିଯୋଗ ହୋଇଛି।

ଦୀର୍ଘ ସମୟ ଅପେକ୍ଷା କରିବା ପରେ ହାଲୁଙ୍କ ସାଙ୍ଗମାନେ ତାଙ୍କୁ ରିକ୍ସା ଟ୍ରଲିରେ ଡାକ୍ତରଖାନା ନେବାକୁ ନିଷ୍ପତ୍ତି ନେଇଥିଲେ। ଡାକ୍ତରଖାନାକୁ ଯିବା ପାଇଁ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥିଲା, ଏବଂ ଏହି ସମୟରେ ହାଲୁ ବହୁତ ଯନ୍ତ୍ରଣାରେ ଥିଲେ ବୋଲି କୁହାଯାଉଛି।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଆମ୍ବୁଲାନ୍ସ ସେବାରେ ଅବହେଳାକୁ ନେଇ ଅନେକ ଲୋକ ସରକାରଙ୍କୁ ସମାଲୋଚନା କରିଛନ୍ତି। ହାଲୁଙ୍କ ସମ୍ପର୍କୀୟମାନେ ମଧ୍ୟ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆମେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲୁ କିନ୍ତୁ ଦୀର୍ଘ ସମୟ ପରେ ବି ପହଁଚିନଥିଲା ତେଣୁ ସମୟ ନଷ୍ଟ ନକରି ହାଲୁକୁ ରିକ୍ସା ଟ୍ରଲିରେ ଡାକ୍ତରଖାନା ନେଇ ଆସିଥିଲୁ ବୋଲି ରୋଗୀଙ୍କ ସମ୍ପର୍କୀୟ ଅନୀଲ ମେହେର କହିଛନ୍ତି।

ଆମେ କେବେ ବି ଆଶା କରିନଥିଲୁ ଯେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚିବ। ଯେଉଁ ଡାକ୍ତରଖାନାରେ ପ୍ରାୟତଃ ଡାକ୍ତର ନାହାନ୍ତି, ସେଠାରେ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚିବ ବୋଲି ଆଶା କରିବା ଅତ୍ୟନ୍ତ ବୋକାମି ବୋଲି ସେ କହିଛନ୍ତି।

ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ରୋଗୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଗତ କିଛି ମାସ ହେବ ଆମ୍ବୁଲାନ୍ସ ସେବା ଅଭାବରୁ ରୋଗୀମାନେ ପାଦରେ କିମ୍ବା ରିକ୍ସା ଟ୍ରଲିରେ ବହୁ ଦୂରକୁ ଯିବାକୁ ବାଧ୍ୟ ହେଉଥିବା ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇଛି।

ରାଜ୍ୟରେ ଆମ୍ବୁଲାନ୍ସ ସେବାରେ ଉନ୍ନତି ଆଣିବା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି ହୋଇଛି। ହେଲେ ଏଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ।

ad-week
Leave A Reply

Your email address will not be published.