ବିରୋଧୀଙ୍କ ବୈଠକ ପୂର୍ବରୁ କଂଗ୍ରେସର ବଡ଼ ନିଷ୍ପତ୍ତି, ଆପ୍‌କୁ କରିବ ସମର୍ଥନ

add-all

ନୂଆଦିଲ୍ଲୀ : ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲା କଂଗ୍ରେସ। ଦିଲ୍ଲୀରେ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଆପ୍‌ ଯେଉଁ ଲଢ଼େଇ କରୁଛି, ତାକୁ ସମର୍ଥନ କରିବ କଂଗ୍ରେସ।
ସୋମବାର (ଆସନ୍ତାକାଲି) ବିରୋଧୀ ଦଳଗୁଡ଼ିକ ବେଙ୍ଗାଲୁରୁରେ ବୈଠକ ପାଇଁ ଏକତ୍ର ହେଉଥିବା ବେଳେ ତା’ପୂର୍ବରୁ କଂଗ୍ରେସ ନେଇଛି ଏହି ନିଷ୍ପତ୍ତି। ଏହା ଦିଲ୍ଲୀର ଆପ୍ ସରକାର ପାଇଁ ଏକ ବଡ଼ ବଳ ବୋଲି କୁହାଯାଉଛି। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଥିବା ବୈଠକରେ ଯୋଗ ନଦେବାକୁ ଆପ୍ ଧମକ ଦେଇଥିଲା। ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ବାଟ ଓଗାଳିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଛନ୍ତି।
କଂଗ୍ରେସର ସାଧାରଣ ସଂପାଦକ କେ.ସି ଭେନୁଗୋପାଳ କହିଛନ୍ତି, ମୁଁ ଭାବୁଛି ସେମାନେ (ଆପ୍‌) ଆସନ୍ତାକାଲି ହେବାକୁ ଥିବା ବୈଠକରେ ସାମିଲ ହେବେ। ଦିଲ୍ଲୀ ଅଧ୍ୟାଦେଶ ନେଇ ଆମର ନିଷ୍ପତ୍ତି ପୂରା ସ୍ପଷ୍ଟ। ଆମେ ଏହାକୁ ସମର୍ଥନ କରିବୁ ନାହିଁ।
ଆପ୍ ନେତା ରାଘବ ଚଡ୍ଡା କହିଛନ୍ତି ଯେ କଂଗ୍ରେସ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରିବ ବୋଲି ସ୍ପଷ୍ଟ ଭାବେ କହିଛି। ଏଥିରେ କୌଣସି ସନ୍ଦେହ ବା ଦ୍ୱନ୍ଦ୍ୱ ନାହିଁ।
ଦିଲ୍ଲୀର ଆପ୍ ସରକାର ଏହି ଅଧ୍ୟାଦେଶକୁ ଅସାମ୍ବିଧାନିକ ବୋଲି କହିଆସୁଛନ୍ତି। ଦଳର ରଜନୀତିକ ବ୍ୟାପାର କମିଟି (ପିଏସି)ର ବୈଠକ ଆଜି ଅନୁଷ୍ଠିତ ହେବ। ଯେହେତୁ କଂଗ୍ରେସ ଏହି ଅଧ୍ୟାଦେଶକୁ ବିରୋଧ କରିବ ବୋଲି ଘୋଷଣା କରିସାରିଛି, ତେଣୁ ଆସନ୍ତାକାଲି ବିରୋଧୀଙ୍କ ବୈଠକରେ ଆପ୍ ଯୋଗ ଦେବ କି ନାହିଁ ସେ ନେଇ ପିଏସି ବୈଠକରେ ନିଷ୍ପତ୍ତି ହେବ।

ad-week
Leave A Reply

Your email address will not be published.