ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପରିବର୍ତ୍ତିତ ହେବ ୟୁପିଏର ନାମ

add-all

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବିରୋଧୀ ମେଣ୍ଟ ଦଳକୁ ଆଉ ୟୁନାଇଟେଡ୍‌ ପ୍ରୋଗ୍ରେ‌ସ୍‌ ଆଲିଆନ୍ସ (ୟୁପିଏ) କୁହାଯିବ ନାହିଁ। ମଙ୍ଗଳବାର ଦିନ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ମେଗା ବିରୋଧୀ ବୈଠକରେ ଦଳର ନୂତନ ନାମ ସ୍ଥିର ହେବାର ସମ୍ଭାବନା ରହିଛି। ଯେଉଁଥିରେ ୨୦ରୁ ଅଧିକ ଦଳ ଯୋଗଦେବେ ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।
କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୨୦୦୪ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଦୁଇ ଥର କେନ୍ଦ୍ରରେ କ୍ଷମତାରେ ଥିଲା। ଏହାର ଅଧ୍ୟକ୍ଷା ଥିଲେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ।
ଏହି ନୂଆ ନାମକରଣ ସଂପର୍କରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଲ କହିଛନ୍ତି ଯେ ‘ଦଳ କେବଳ ଏହି ଗୋଟାଏ ପ୍ରସଙ୍ଗରେ ନିଷ୍ପତ୍ତି ନେଉନାହାଁନ୍ତି। ବୈଠକରେ ଏକ ସାମୂହିକ ନିଷ୍ପତ୍ତି ନିଆଯିବ।’
ଭେନୁଗୋପାଲ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ମତ ରଖି କହିଛନ୍ତି, ‘ଆମେ ସବୁ ପ୍ରକାରର ନିଷ୍ପତ୍ତି ନେବୁ। କେଉଁ ବିଷୟ ଉପରେ ଆଲୋଚନା ହେବାକୁ ଯାଉଛି ତାହା ମୁଁ ବର୍ତ୍ତମାନ କହିପାରିବି ନାହିଁ। କଂଗ୍ରେସ ଏକୁଟିଆ ନିଷ୍ପତ୍ତି ନେଉନାହିଁ। ସମସ୍ତ ବିରୋଧୀ ଦଳ ଏକାଠି ବସି ଏକତ୍ର ନିଷ୍ପତ୍ତି ନେବେ।’
ତେବେ ବିରୋଧୀ ଦଳ ସମ୍ଭବତଃ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ପ୍ରସଙ୍ଗ ଉଠାଇବେ ବୋଲି ଅନୁମାନ କରାଯାଉଛି। ମଙ୍ଗଳବାର ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କ ଦ୍ବାରା ବୈଠକ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ବୈଠକ ପରେ ଅପରାହ୍ନ ୪ଟାରେ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.