ରାଜନୈତିକ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା; ୫ ଗୁରୁତର

add-all

ଆଠଗଡ: ନିର୍ବାଚନ ସରିବାର ଦୀର୍ଘ ଦିନ ପରେ ବି ଥମିନି ତାତି। ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିବା ବେଳେ ଗାଁରେ ଫୁଟିଲା ବୋମା, ବୁଲିଲା ଖଣ୍ଡା। ନିର୍ବାଚନୀ ରାଗ ଶୁଝାଇବାକୁ ଯାଇ ଗାଁର କିଛି ଯୁବକ ଏକ ୩ ବର୍ଷର ଛୁଆ ଓ ତା’ ଅଜା ଉପରେ ବୁଲେଟ ଚଢ଼ାଇ ଦେଇଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିବା ବେଳେ ଗାଁର ଉଭୟ ପକ୍ଷ ମଧ୍ୟରେ ଲାଗିଥିବା ଏହି ସଂଘର୍ଷରେ ୩ ଜଣ ଆହତ ହୋଇଥିବା ଜଣାଯାଇଛି।

କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ ଅମୃତମଣୋହିପାଟଣା ଗାଁରେ ଆଜି ସକାଳେ ଦେଖିବାକୁ ମିଳିଛି ରାଜନୈତିକ ଶତ୍ରୁତାର ଏପରି ଉଗ୍ର ରୂପ । ଘଟଣା ସ୍ଥଳରେ ଆଠଗଡ଼ ପୁଲିସ ମୁତୟନ ହୋଇଥିବା ବେଳେ ଏବେ ବି ଗାଁରେ ପଡ଼ି ରହିଛି ୪ଟି ଅଫୁଟା ବୋମା।

ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ପରଠାରୁ ସରପଞ୍ଚଙ୍କର ଅପର ଗୋଷ୍ଠୀ ସହ ବିବାଦ ଚାଲିଥିଲା। ଜୁଲାଇ ୧୪ ତାରିଖରୁ ଗାଁରେ ଶ୍ମଶାନ ରାସ୍ତାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏନେଇ ଆଠଗଡ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ହୋଇପାରି ନ ଥିଲା ସମାଧାନ । ଏହାପରେ ଉତ୍ତେଜନା ଥମି ନ ଥିବା ବେଳେ ଆଜି ସକାଳୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।

ଗ୍ରାମର ଲଳିତା ମନ୍ତ୍ରୀ ନାମ୍ନୀ ମହିଳା କହିଛନ୍ତି, ଗାଁର ଜଣେ ମହିଳା ନିଜ ୩ ବର୍ଷର ଛୁଆକୁ ଧରି ଗାଁ ରାସ୍ତାରେ ଯାଉଥିଲେ। ଉକ୍ତ ସମୟରେ ଏକ ବୁଲେଟରେ ଶିଶିର ଜେନା, ସିଟୁ ଓ ପାଣୁ ଏକ ବୁଲେଟରେ ଯିବା ବେଳେ ଉକ୍ତ ପିଲା ଉପରେ ଗାଡ଼ି ଚଢ଼ାଇ ଦେଲେ। ଏହାପରେ ପଛରେ ଥିବା ତା’ ଅଜା ଉପରେ ବି ଗାଡ଼ି ଚଢ଼ାଇ ଦେଲେ। ଗୁରୁତର ଅବସ୍ଥାରେ ଅଜା, ନାତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଏହାକୁ ନେଇ ଉତ୍ତେଜନା ଦେଖାଦେବାରୁ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ରାଉତ ନିଜ ଲୋକଙ୍କୁ ଆଣି ଗାଁରେ ୩ଟି ବୋମାମାଡ଼ କଲା। ଏହାପରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଖଣ୍ଡା ଚୋଟରେ ୩ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସେମାନଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଏନେଇ ଉଭୟ ପକ୍ଷ ଆଠଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.