ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ କହିଲେ କେଜ୍ରିୱାଲ

add-all

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ଆଜି ହେଉଛି ଜନ୍ମ ଦିନ। ସେ ଏହି ଜନ୍ମ ଦିନରେ ତାଙ୍କର ପୂର୍ବତନ ଡେପୁଟି ମନୀଷ ସିସୋଦିଆଙ୍କୁ ବହୁତ ମିସ୍‌ କରୁଥିବା କହିଛନ୍ତି। ସିସୋଦିଆ ମନି ଲଣ୍ଡରିଂ ଓ ଦୁର୍ନୀତି ମାମଲାରେ ଗିରଫ ହୋଇ ଦୀର୍ଘ ମାସ ହେଲା ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି।
ଆଜି କେଜ୍ରିୱାଲ ତାଙ୍କ ଜନ୍ମ ଦିନରେ ‘ଆଇ ମିସ୍‌ ମନୀଷ’ ବୋଲି ଟ୍ୱିଟ କରିଛନ୍ତି। ଏଥିସହ ଶକ୍ତିଶାଳୀ ଭାରତ ପାଇଁ ଆମ ସମସ୍ତଙ୍କୁ ଗୋଟିଏ ମୂଳଦୁଆ ପକାଇବା ପାଇଁ ଶପଥ ନେବାକୁ ପଡ଼ିବ ବୋଲି ମଧ୍ୟ କେଜ୍ରିୱାଲ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
ସେ ନିଜର ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସ(ପୂର୍ବରୁ ଟ୍ୱିଟର)ରେ କହିଛନ୍ତି, “ଆଜି ହେଉଛି ମୋ ଜନ୍ମ ଦିନ। ଅନେକ ଲୋକ ସେମାନଙ୍କ ଶୁଭେଚ୍ଛା ଜଣାଉଛନ୍ତି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। କିନ୍ତୁ ଆଇ ମିସ୍‌ ମନୀଷ। ସେ ମିଛ ମାମଲାରେ ଜେଲରେ ଅଛନ୍ତି।
ଭାରତରେ ଜନ୍ମ ନେଉଥିବା ପ୍ରତିଟି ପିଲାକୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଆମ ଦ୍ୱାରା ଯାହା ସମ୍ଭବ, ସେସବୁ କରିବା ଉଦ୍ଦେଶ୍ୟରେ ଆସନ୍ତୁ ଶପଥ ନେବା। ଏହା ଗୋଟିଏ ଶକ୍ତିଶାଳୀ ଭାରତ ପାଇଁ ମୂଳଦୁଆ ପକାଇବ। ଭାରତକୁ ନମ୍ବର ୧ କରିବା ପାଇଁ ଆମେ ଦେଖିଥିବା ସ୍ୱପ୍ନକୁ ସାକାର କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହା ମନୀଷଙ୍କୁ ମଧ୍ୟ ଖୁସି କରିବ।”
ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ତାଙ୍କ ଜନ୍ମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପ ରାଜ୍ୟପାଳ ଭିକେ ସକ୍ସେନା ଓ ଅନେକ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

ad-week
Leave A Reply

Your email address will not be published.