
ନୂଆଦିଲ୍ଲୀ : ଅଗ୍ନିବୀରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କ୍ୟାବିନେଟର ନିଷ୍ପତ୍ତି ଅନୁସାରେ, ଚାରି ବର୍ଷର ପ୍ରାରମ୍ଭିକ ସେବା ପରେ ସେନାରେ ସାମିଲ ହୋଇପାରିନଥିବା ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସେବା କରିବାର ସୁଯୋଗ ମିଳିବ । ଏବେ ସେମାନଙ୍କ ମୋଟ ସେବା ଅବଧି ୬ ବର୍ଷ ହେବ ।
ଦିଲ୍ଲୀରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (CDS) ଜେନେରାଲ ଏନଏସ୍ ରାଜା ସୁବ୍ରମଣି ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ଅତିରିକ୍ତ ଦୁଇ ବର୍ଷର ସେବା ଶେଷ ହେବା ପରେ ନିୟମିତ ସେନାରେ ରହିବାକୁ ଇଚ୍ଛୁକ ଅଗ୍ନିବୀରଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ମିଳିବ । ତେବେ ଏଥିପାଇଁ ନିର୍ଦ୍ଧାରିତ ଯୋଗ୍ୟତା ଓ ଚୟନ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ ।
୨୦୨୨ ଜୁନ୍ ୧୪ ତାରିଖରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ଅଗ୍ନିବୀରଙ୍କ କାର୍ଯ୍ୟଦକ୍ଷତାକୁ ନିୟମିତ ଭାବେ ମୂଲ୍ୟାଙ୍କନ କରିବା ସହ ଯୋଜନାର ସମୟାନୁସାରେ ସମୀକ୍ଷା କରାଯିବାର ବ୍ୟବସ୍ଥା ରହିଥିଲା । ଏବେ ପ୍ରଥମ ବ୍ୟାଚର ଅଗ୍ନିବୀରମାନେ ଚାରି ବର୍ଷର ସେବା ଅବଧି ପୂରଣ କରିବାକୁ ଯାଉଛି । ଏହି ସମୟ ମଧ୍ୟରେ ସେମାନଙ୍କ କାର୍ଯ୍ୟଦକ୍ଷତାର ମୂଲ୍ୟାଙ୍କନ ଆଧାରରେ ମିଳିଥିବା ମତାମତକୁ ବିଚାରକୁ ନେଇ କ୍ୟାବିନେଟ୍ ଏହି ନୂଆ ବ୍ୟବସ୍ଥା କରିଥିବା କୁହାଯାଇଛି ।
ଅଗ୍ନିପଥ ଯୋଜନାର ପୂର୍ବ ବ୍ୟବସ୍ଥା ଅନୁସାରେ, ଚାରି ବର୍ଷର ସେବା ପରେ ସର୍ବାଧିକ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ମେରିଟ୍ ଆଧାରରେ ନିୟମିତ ସେନାରେ ସାମିଲ କରାଯିବାର ନିୟମ ଥିଲା । ବାକି ୭୫ ପ୍ରତିଶତ ଅଗ୍ନିବୀରଙ୍କ ସେବା ଅବଧି ଶେଷ ହେବା ପରେ ସେମାନେ ସେନାରୁ ଅବ୍ୟାହତି ପାଉଥିଲେ। ନୂଆ ବ୍ୟବସ୍ଥା ଅନୁସାରେ, ଏହି ୭୫ ପ୍ରତିଶତ ଅଗ୍ନିବୀରଙ୍କୁ ଆଉ ଦୁଇ ବର୍ଷ ସଶସ୍ତ୍ର ବାହିନୀରେ ସେବା କରିବାର ସୁଯୋଗ ମିଳିବ । ଫଳରେ ଚାରି ବର୍ଷ ପରେ ସେମାନଙ୍କୁ ତୁରନ୍ତ ସେବାରୁ ଅବ୍ୟାହତି ନେବାକୁ ପଡ଼ିବ ନାହିଁ ।
ଅତିରିକ୍ତ ଦୁଇ ବର୍ଷର ସେବା ଅବଧି ପୂରଣ କରିବା ପରେ ନିୟମିତ ସେନାରେ ସାମିଲ ହେବାକୁ ଇଚ୍ଛୁକ ଅଗ୍ନିବୀରଙ୍କୁ ଚୟନ ପ୍ରକ୍ରିୟାରେ ଭାଗ ନେବାକୁ ସୁଯୋଗ ମିଳିବ। ତେବେ ଏହି ଚୟନ ନିର୍ଦ୍ଧାରିତ ମାନଦଣ୍ଡ ଓ ଯୋଗ୍ୟତା ଆଧାରରେ କରାଯିବ ।
