ୟୁନିଅନ୍‌ ବ୍ୟାଙ୍କ ପକ୍ଷରୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କାର୍ଯ୍ୟକ୍ରମ: ୫୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ସଚେତନତା

puja26

ବ୍ରହ୍ମପୁର, ୪/୧୧/୨୬: ଗ୍ରାମାଞ୍ଚଳର ଲୋକଙ୍କୁ ବ୍ୟାଙ୍କିଂ ସେବା ସହ ସିଧାସଳଖ ଯୋଡ଼ିବା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ସାମାଜିକ ସୁରକ୍ଷା ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ବ୍ୟାପକ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସମ୍ପୂର୍ଣ୍ଣତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଙ୍ଗେଇଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ତୁଳୁସ୍ଥିତ ଇନ୍ଦ୍ରାଖି ଗ୍ରାମ ପଞ୍ଚାୟତ ପରିସରରେ ଆୟୋଜିତ ଏହି ସଚେତନତା ଶିବିରରେ ପ୍ରାୟ ୫୦୦ ଜଣ ହିତାଧିକାରୀ ଯୋଗଦେଇଥିଲେ। ଭାରତ ସରକାରଙ୍କ ପକ୍ଷରୁ ଗତ ଅକ୍ଟୋବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗ୍ରାମାଞ୍ଚଳର ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାଙ୍କିଂ ସେବା ଏବଂ ସରକାରୀ ସାମାଜିକ ସୁରକ୍ଷା ଯୋଜନା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସହିତ ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଯୋଜନାଗୁଡ଼ିକରେ ସାମିଲ କରାଇବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଏଫ୍‌ଆଇଡିଡି ମହାପ୍ରବନ୍ଧକ ଶ୍ରୀ ଶୁଭ୍ରାଂଶୁ କୁମାର ରାଉତ, ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଭୁବନେଶ୍ୱରସ୍ଥିତ ଏଫ୍‌ଜିଏମ୍‌ଓ ମହାପ୍ରବନ୍ଧକ ଶ୍ରୀ ସଞ୍ଜୀବ ରଞ୍ଜନ ସହାୟ, ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ଶ୍ରୀମତୀ ଏଲ୍‌. ସଙ୍ଗୀତା କୁଜୁର, ଆର୍‌ବିଆଇର ଏଲ୍‌ଡିଓ ଶ୍ରୀ ରିତେଶ କୁମାର ପାତ୍ର, ନାବାର୍ଡର ଡିଡିଏମ୍‌ ଶ୍ରୀ ସଞ୍ଜୀବ ମିଶ୍ର, ଗଞ୍ଜାମ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ହିମାଂଶୁ ସାହୁ, ତୁଳୁ ଶାଖା ପରିଚାଳକ ଶ୍ରୀ କେ. ସୁଧାକର ରାଓ, ରଙ୍ଗେଇଲୁଣ୍ଡା ବ୍ଲକ୍‌ ବିଡିଓ ଶ୍ରୀ ବିଶ୍ୱଜିତ ରାୟ ଏବଂ ଇନ୍ଦ୍ରାଖି ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ଉପସ୍ଥିତ ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମଜେଜେବିୱାଇ), ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମଏସବିୱାଇ) ଏବଂ ଅଟଳ ପେନସନ ଯୋଜନା ସମେତ ବିଭିନ୍ନ ସରକାରୀ ସାମାଜିକ ସୁରକ୍ଷା ଯୋଜନା ତଥା ବ୍ୟାଙ୍କିଂ ସେବା ସମ୍ପର୍କରେ ବିସ୍ତୃତ ତଥ୍ୟ ବୁଝାଯାଇଥିଲା। ଏହିସବୁ ଯୋଜନାର ଉପକାରିତା, ଯୋଗ୍ୟତା ମାନଦଣ୍ଡ, ବୀମା ସୁବିଧା, ପ୍ରିମିୟମ ରାଶି ଏବଂ ନାମାଙ୍କନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ସବିଶେଷ ଭାବେ ସଚେତନ କରାଯାଇଥିଲା।

ଅନ୍ୟପକ୍ଷରେ, ସନ୍ଧ୍ୟା ସମୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ୟୁନିଅନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମହାପ୍ରବନ୍ଧକ ଶ୍ରୀ ସଞ୍ଜୀବ ରଞ୍ଜନ ସହାୟ ଏକ ସ୍ୱତନ୍ତ୍ର ସଚେତନତା ଷ୍ଟଲ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଷ୍ଟଲ୍‌ଟି ସମଗ୍ର ଅଭିଯାନ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିବ। ଏଠାରେ ସାଧାରଣ ଲୋକେ ବିଭିନ୍ନ ଡିଜିଟାଲ ବ୍ୟାଙ୍କିଂ ସେବା, ସରକାରୀ କଲ୍ୟାଣକାରୀ ଯୋଜନା, ଯୋଗ୍ୟତା ଏବଂ ନାମାଙ୍କନ ସମ୍ପର୍କିତ ସମସ୍ତ ଆବଶ୍ୟକୀୟ ତଥ୍ୟ, ମାର୍ଗଦର୍ଶନ ତଥା ସହାୟତା ସହଜରେ ପାଇପାରିବେ। ଏହି ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସାକ୍ଷରତା ବୃଦ୍ଧି, ସମାଜର ଅନ୍ତିମ ବ୍ୟକ୍ତି ପାଖରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ଏବଂ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରି ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ଦିଗରେ ୟୁନିଅନ୍‌ ବ୍ୟାଙ୍କର ନିରନ୍ତର ପ୍ରତିବଦ୍ଧତା ପ୍ରତିଫଳିତ ହୋଇଛି।

ad-week
Leave A Reply

Your email address will not be published.