ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତିର ସମୀକ୍ଷା: କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ ଉପରେ ଆର୍ଡିସିଙ୍କ ଗୁରୁତ୍ୱ

ଛତ୍ରପୁର, ୪/୧୧: ଗଞ୍ଜାମ ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସଠିକ ଆକଳନ କରି କ୍ଷତିଗ୍ରସ୍ତଙ୍କୁ ନିୟମାନୁଯାୟୀ ତ୍ୱରିତ ସରକାରୀ ସହାୟତା ପ୍ରଦାନ ନିମନ୍ତେ ବୁଧବାର ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (ଆର୍ଡିସି) ବିଜୟ ଅମୃତ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କ୍ଷୟକ୍ଷତି ଆକଳନର ଅଗ୍ରଗତି, ଆକଳନ ରିପୋର୍ଟ ଦାଖଲ ଓ କ୍ଷତିଗ୍ରସ୍ତଙ୍କୁ ସରକାରୀ ସହାୟତା ପ୍ରଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯାଇଥିଲା।
ପ୍ରତ୍ୟେକ ବିଭାଗ ଦୈନିକ କେତେ ପରିମାଣର କ୍ଷୟକ୍ଷତି ଆକଳନ କରୁଛନ୍ତି, ତାହାର ଏକ ସଠିକ ରେକର୍ଡ ରଖିବା ସହ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ନିୟମିତ ବ୍ୟବଧାନରେ ସମୀକ୍ଷା କରି ଯଥାଶୀଘ୍ର ଚୂଡ଼ାନ୍ତ ଆକଳନ ରିପୋର୍ଟ ଦାଖଲ କରିବାକୁ ରାଜସ୍ୱ ଆୟୁକ୍ତ କଡ଼ା ନିର୍ଦ୍ଦେଶ ଦେଇଥିଲେ।
ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର କ୍ଷୟକ୍ଷତି ଆକଳନ ପାଇଁ ବ୍ଲକ୍ର ଯନ୍ତ୍ରୀମାନେ ପ୍ରତ୍ୟେକ କେନ୍ଦ୍ରକୁ ବ୍ୟକ୍ତିଗତ ଭାବେ ପରିଦର୍ଶନ କରି କ୍ଷୟକ୍ଷତିର ପରିମାଣ ନିର୍ଦ୍ଧାରଣ କରିବେ। କ୍ଷତିଗ୍ରସ୍ତ କୋଠାଗୁଡ଼ିକର ମରାମତି ସମ୍ଭବ କି ନୁହେଁ, ସେ ସମ୍ପର୍କରେ ଉପଯୁକ୍ତ ବୈଷୟିକ ଯାଞ୍ଚ କରି ଆବଶ୍ୟକ ତଥ୍ୟ ସମ୍ବଳିତ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିଲା। ସେହିପରି ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି କ୍ଷୟକ୍ଷତିର ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବାକୁ ସିଡିପିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଶିକ୍ଷକ, କର୍ମଚାରୀ, ଅଭିଭାବକ, ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗ ନେଇ ବ୍ୟାପକ ସଫେଇ ତଥା ପୁନରୁଦ୍ଧାର କାର୍ଯ୍ୟ ହାତକୁ ନେଇ ଶୀଘ୍ର ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଆର୍ଡିସି ପରାମର୍ଶ ଦେଇଥିଲେ।
କ୍ଷୟକ୍ଷତି ଆକଳନ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ସହ ଆକଳନର ସତ୍ୟତା ଯାଞ୍ଚ ପାଇଁ ବିଭିନ୍ନ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ। ଏହି ଟିମ୍ଗୁଡ଼ିକ ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ଆକଳନର ସଠିକତା ଯାଞ୍ଚ କରିବେ। ଆବଶ୍ୟକସ୍ଥଳେ ଗୋଟିଏ ପଞ୍ଚାୟତକୁ ଆଦର୍ଶ ଆଧାର କରି ସରକାରୀ ନିୟମ ଅନୁଯାୟୀ କ୍ଷୟକ୍ଷତି ଆକଳନ ଓ ସହାୟତା ପ୍ରଦାନ ପ୍ରକ୍ରିୟାକୁ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରି ଯାଞ୍ଚ କରାଯିବ। ଏଥିରେ ସଫଳତା ମିଳିଲେ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ସେହି ଅନୁରୂପ ବ୍ୟବସ୍ଥା ଅନୁସରଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିଲା।
ବୈଠକରେ ବିଭିନ୍ନ ବିଭାଗର କ୍ଷୟକ୍ଷତି ଆକଳନ ସମୟରେ ଉପୁଜୁଥିବା ବିବିଧ ସମସ୍ୟା ସମ୍ପର୍କରେ ରାଜସ୍ୱ ଆୟୁକ୍ତ ବିଭାଗୱାରୀ ପଚାରି ବୁଝିଥିଲେ। ସମସ୍ୟାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସେ ଆବଶ୍ୟକ ମାର୍ଗଦର୍ଶନ ଓ ପରାମର୍ଶ ଦେବା ସହ ବିଭାଗୀୟ ସମନ୍ୱୟ ରକ୍ଷା କରି କାର୍ଯ୍ୟ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀ ଓ ଛୋଟବଡ଼ ବ୍ୟବସାୟୀମାନଙ୍କୁ କିପରି ବିନା ବିଳମ୍ବରେ ଯଥାଶୀଘ୍ର ସରକାରୀ ସହାୟତା ଯୋଗାଇ ଦିଆଯାଇପାରିବ, ସେହି ଦିଗରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା।
ବାତ୍ୟା ଓ ବନ୍ୟା ସମୟରେ ସମସ୍ତ ଅଧିକାରୀ ତଥା କର୍ମଚାରୀମାନେ ନିଷ୍ଠା, ଧୈର୍ଯ୍ୟ ଓ ଉଚ୍ଚ ଦାୟିତ୍ୱବୋଧର ସହ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ରାଜସ୍ୱ ଆୟୁକ୍ତ ସେମାନଙ୍କ ଉତ୍ସର୍ଗୀକୃତ ସେବାକୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଉଦ୍ୟମ, ସମର୍ପଣ ଓ ସମନ୍ୱୟକୁ ଆଗାମୀ ଦିନରେ ମଧ୍ୟ ଜାରି ରଖିବା ସହ ସ୍ଥାନୀୟ ଜନସାଧାରଣଙ୍କୁ ରିଲିଫ୍ ତଥା ପୁନରୁଦ୍ଧାର କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଏଥିସହ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଯୋଗାଇ ଦିଆଯାଉଥିବା ୫୦ କିଲୋଗ୍ରାମ ଲେଖାଏଁ ଚାଉଳ ଯେପରି ପ୍ରତ୍ୟେକଙ୍କ ଘରେ ଘରେ ସୁରୁଖୁରୁରେ ପହଞ୍ଚିପାରିବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଗୁରୁତ୍ୱ ଦିଆଯାଇଥିଲା। ଦୁର୍ଗମ ତଥା ଦୂରଦୂରାନ୍ତ ଅଞ୍ଚଳରେ ଯାନବାହନ ଚଳାଚଳ ସମସ୍ୟା ଥିଲେ ଆବଶ୍ୟକସ୍ଥଳେ ଟ୍ରାକ୍ଟର ଯୋଗେ ରିଲିଫ୍ ଚାଉଳ ତୁରନ୍ତ ପହଞ୍ଚାଇବା ପାଇଁ ଜିଲ୍ଲା ଯୋଗାଣ ବିଭାଗକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା। ଜିଲ୍ଲାର ୪ ଲକ୍ଷରୁ ଊର୍ଦ୍ଧ୍ୱ ରାସନ କାର୍ଡଧାରୀଙ୍କ ଆଧାର ସଂଯୁକ୍ତ ତଥ୍ୟକୁ ଭିତ୍ତି କରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ସଠିକ ଭାବେ ସହାୟତା ପ୍ରଦାନ ନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଥିଲା। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨,୫୦୦ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କୁମାର କେର୍କେଟା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାରଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ଜିଲ୍ଲାରେ ନିୟୋଜିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। କୌଣସି ଜଣେ ହେଲେ ପ୍ରକୃତ କ୍ଷତିଗ୍ରସ୍ତ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସମସ୍ତ ଅଧିକାରୀ ସତର୍କ ରହି କାର୍ଯ୍ୟ କରିବାକୁ ପ୍ରଶାସନ ତରଫରୁ ନିବେଦନ କରାଯାଇଛି।
